ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପ୍ୟାକେଜ ଅଧୀନରେ କାର୍ୟ୍ୟ କରୁଥିବା ଜମ୍ମୁ କାଶ୍ମୀର ପଣ୍ଡିତ କର୍ମଚାରୀମାନଙ୍କୁ ଧମକ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଧମକପୂର୍ଣ୍ଣ ଚିଠିରେ କିଛି କର୍ମଚାରୀଙ୍କ ନାମ, ଠିକଣା ଏବଂ ଗାଡ଼ି ନମ୍ବର ଉଲ୍ଲେଖ ରହିଛି । ଅଲ୍ ପିଏମ୍ ପ୍ୟାକେଜ୍ ଏମ୍ପ୍ଲୋଇଜ୍ ଫୋରମ୍ କାଶ୍ମୀର ପ୍ରଶାସନକୁ କର୍ମଚାରୀଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଛି।
ଅଗଷ୍ଟ ୨୩ ତାରିଖର ୟୁନାଇଟେଡ୍ ଲିବରେସନ୍ କାଉନସିଲ୍ ବୋଲି ନାମକ ଏକ ସଂଗଠନ ନାମରେ ଧମକ ପୂର୍ଣ୍ଣ ଚିଠି ଜାରି ହୋଇଛି । ଯେଉଁଥିରେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ନାମ ଓ ଠିକଣା ରହିଛି । ଏପରିକି କିଏ କେଉଁ ଗାଡ଼ି ବ୍ୟବହାର କରୁଛନ୍ତି ତାହାର ମଧ୍ୟ ତଥ୍ୟ ରହିଛି । ସେମାନଙ୍କ ପାଖରେ କିପରି ପହଁଚିଲା ତାହା ତଦନ୍ତ ସାପେକ୍ଷ । କାଶ୍ମୀର ପଣ୍ଡିତ ଫୋରମ୍ କାର୍ୟ୍ୟାଳୟ ଏବଂ କର୍ମଚାରୀଙ୍କ ଘରେ ସୁରକ୍ଷା ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛି। ଏହା ବ୍ୟତୀତ, ଯେଉଁ କର୍ମଚାରୀମାନଙ୍କର ବ୍ୟକ୍ତିଗତ ସୂଚନା ପୋଷ୍ଟରରେ ପ୍ରକାଶ ପାଇଛି ସେମାନଙ୍କୁ ବିଶେଷ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।
ଜଣେ କାଶ୍ମୀର ପଣ୍ଡିତ କହିଛନ୍ତି ଯେ ଏଭଳି ଧମକ ସେମାନଙ୍କୁ ଡରାଇପାରିବ ନାହିଁ କିମ୍ବା କାଶ୍ମୀର ଛାଡ଼ିବାକୁ ବାଧ୍ୟ କରିପାରିବ ନାହିଁ । କାଶ୍ମୀର ସେମାନଙ୍କର ମଧ୍ୟ ଏବଂ ଏହା ସେମାନଙ୍କର ଜନ୍ମସ୍ଥାନ ।