ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଭଡା ଘରୁ ଜଣେ ଲାବୋରେଟୋରି ଟେକ୍ନିସିଆନ୍ ଙ୍କ ମୃତ ଦେହ ଉଦ୍ଧାର ହୋଇଛି।
ମୃତକ ହେଉଛନ୍ତି ୨୪ ବର୍ଷୀୟ ସୂର୍ଯ୍ୟକାନ୍ତ ସାହୁ । ତାଙ୍କ ଘର ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ବୋଲି ଜଣାପଡ଼ିଛି । ସୂର୍ଯ୍ୟକାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଲାବୋରେଟୋରି ଟେକ୍ନିସିଆନ୍ ଭାବେ କାମ କରୁଥିଲେ । ଏଥିପାଇଁ ସେ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ସନ୍ଦେହ ଘନେଇଛି । ତଦନ୍ତ ବେଳେ ମୃତକଙ୍କ ପକେଟରୁ ଏକ ଇଞ୍ଜେକ୍ସନ୍ ମିଳିଥିବା ଜଣାପଡ଼ିଛି ।ଏହାକୁ ଆଧାର କରି ସେ ନିଜେ କୌଣସି ବିଷାକ୍ତ ଇଞ୍ଜେକ୍ସନ୍ ନେଇଥିଲେ କି, ତାହାକୁ ନେଇ ପୁଲିସ ସନ୍ଦେହ କରୁଛି । ସେପଟେ ଘଟଣାକୁ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂର୍ଯ୍ୟକାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।
ତେବେ ଇଞ୍ଜେକ୍ସନ୍ ନେବା ଯୋଗୁଁ ହିଁ ତାଙ୍କ ମୃତ୍ୟୁ ହୋଇଛି କି, ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି, ସେନେଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି ।