ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଂଶତମ ଅଭିଯୋଗ ଶୁଣାଣି କରିଛନ୍ତି । ଭୁବନେଶ୍ୱର ୟୁନିଟ୍-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବା ସହିତ ସମାଧାନ ମଧ୍ୟ କରିଛନ୍ତି । ଆଜି ୬୦୦ଟି ଅଭିଯୋଗ ଶୁଣାଣି ହୋଇଛି । ସେଥିମଧ୍ୟରୁ ୧୬ ଜଣ ଭିନ୍ନକ୍ଷମ ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୋମବାର ସୂଚନା ଦେଇଛନ୍ତି । ସିଙ୍ଗଲ୍ ୱିଣ୍ଡୋ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ସେମାନଙ୍କ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ସାର୍ଟିଫାଏ କରିଥିଲେ । ଏହା ପରେ ମୋଟ ୧୪ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଆଧାରରେ ଏହା ପୂର୍ବରୁ ୧୯ଟି ଅଭିଯୋଗରେ ପ୍ରତ୍ୟକ୍ଷଭାବେ ୧୫, ୩୨୭ ଟି ଅଭିଯୋଗ ଆସିଥିବାବେଳେ ସେଥିରୁ ୧୪, ୫୧୯ଟି ଅର୍ଥାତ୍ ୯୫ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ପ୍ରତିଟି ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯାଇ ତ୍ୱରିତ ସମାଧାନ କରାଯିବାକୁ ଚେଷ୍ଟା କରାଯାଉଛି । ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜିଲ୍ଲାସ୍ତରରେ ମଧ୍ୟରେ ଅଭିଯୋଗ ଶୁଣାଣି କରାଯାଉଛି । ୧ ଜୁଲାଇ ୨୦୨୪ରୁ ଆଜି ଯାଏ ମୋଟ ୨ ଲକ୍ଷ ୬୯ ହଜାର ୩୯୪ ଅଭିଯୋଗ ଆସିଥିବାବେଳେ ସେଥି ମଧ୍ୟରୁ ୨ ଲକ୍ଷ ୩୩ ହଜାର ୩୪୪ଟିର ସମାଧାନ ହୋଇଛି । ମୋଟ ଅଭିଯୋଗର ୮୭ ପ୍ରତିଶତ ଅଟେ ।
ଲୋକଙ୍କ ସରକାର ସବୁବେଳେ ଲୋକଙ୍କ ସମାଧାନ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀମାନେ ସମସ୍ତ ଅଭିଯୋଗର ସମାଧାନ କରୁଛନ୍ତି । ଯେଉଁଗୁଡ଼ିକ ମାମଲା ଗୁଡ଼ିକ ପଡ଼ି ରହିଛି ତାହାକୁ ତଳୁ ଉପରୁ ଏବଂ ଉପରୁ ତଳ ସ୍ତର ଯାଏ କାମ କରାଯାଉଛି । ଖାଲି ସେତିକି ନହେଁ ପ୍ରାକୃତିକ ଦୁର୍ବିପାକ ସମୟରେ ମଧ୍ୟ ସରକାର ଆଗୁଆ ପ୍ରସ୍ତୁତ ରହି ଆଶୁ ସମାଧାନ କରୁଛନ୍ତି । ସରକାର ଏକ ସହାନୁଭୂତି, ସମବେଦନ ଓ ସହୃଦୟବାନ ହୋଇ କାମ କରୁଥିବାରୁ ଆମ ସରକାର ଆଜି ଲୋକଙ୍କର ଆସ୍ଥା ଭାଜନ ହୋଇପାରିଛନ୍ତି ଏବଂ ଆଗାମୀ ଦିନମାନଙ୍କରେ ମଧ୍ୟ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମଣ୍ଡଳ ସ୍ତରରେ ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଆଜିର ଶୁଣାଣିରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ । ସେହିପରି ଡିସିପି ଜଗମୋହନ ମୀନା ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।