ଭଦ୍ରକ: ଭଦ୍ରକ ବ୍ଲକ୍ ଅଧିନସ୍ଥ ତଳାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ତାତିଛନ୍ତି । ଶେଷରେ ବୁଝାସୁଝା କରିବାକୁ ଆସିଥିବା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ଉତ୍ତେଜିତ ଛାତ୍ରଛାତ୍ରୀ ତାଲା ପକାଇ ଦେଇଛନ୍ତି ।
ଭଦ୍ରକ ବ୍ଲକ୍ ଅଧିନସ୍ଥ ତଳାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ରହିଛି । ବିଦ୍ୟାଳୟ ତିନୋଟି ଶିକ୍ଷକ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଛି । ଉଭୟ ନବମ ଓ ଦଶମ ଶ୍ରେଣୀ ରେ ୯୦ ରୁ ଅଧିକ ଛାତ୍ର ଛାତ୍ରୀ ପାଠ ପଢ଼ିବା ବେଳେ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି । ଏ ନେଇ ଗ୍ରାମବାସୀ ବ୍ଲକ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଶେଷରେ ଶିକ୍ଷକ ନିଯୁକ୍ତି ନେଇ ବିଦ୍ୟାଳୟ ସମ୍ମୁଖରେ ଆଜି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଆମରଣ ଅନଶନରେ ବସି ପ୍ରତିବାଦ କରିଥିଲେ । ଏହା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଧିକାରୀ ବୁଝାସୁଝା କରିବାକୁ ବିଦ୍ୟାଳୟକୁ ଯାଇଥିଲେ । ବିଦ୍ୟାଳୟ ଭିତରେ ଏଡିଇଓ ଓ ବିଇଓ, ବିଦ୍ୟାଳୟ କମିଟି ସଦସ୍ୟ ଓ ଅନ୍ୟ ଶିକ୍ଷକମାନେ ଆଲୋଚନା କରୁଥିବାବେଳେ ଛାତ୍ରଛାତ୍ରୀମାନେ ଫାଟକରେ ତାଲା ପକାଇ ଦେଇଥିଲେ । ଯାହା ଫଳରେ ସମସ୍ତେ ବିଦ୍ୟାଳୟ ଭିତରେ ଏକ ପ୍ରକାର ଅଟକ ରହିଯାଇଥିଲେ ।