ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ବନ୍ୟା ଆଶଙ୍କା ବଢ଼ିଛି। ଉପରମୁଣ୍ଡ ଓ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ବନ୍ୟାଜଳ ପ୍ରବେଶ କରୁଛି। ଏହି ପରିସ୍ଥିତିରେ ଜଳସ୍ତର ନିୟନ୍ତ୍ରଣ ପାଇଁ ଆଜି ପୁଣି ଅତିରିକ୍ତ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୮ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ହେଉଛି।
ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଆଗାମୀ ଦିନରେ ବର୍ଷାର ପରିମାଣ ଓ ଜଳପ୍ରବେଶକୁ ଆକଳନ କରି ଗେଟ୍ ସଂଖ୍ୟା ବଢ଼ାଯିବ କିମ୍ବା କମାଯିବ। ସେଥିପାଇଁ ସ୍ଥିତି ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି।
୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ରାଜ୍ୟ ପାଇଁ ବଡ଼ ସତର୍କ ସୂଚନା ଜାରି କରିଛି। ଆଜି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହ ଅନ୍ୟ କିଛି ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଲଗାତାର ବର୍ଷା ଫଳରେ ସହରାଞ୍ଚଳର ତଳିଆ ଅଞ୍ଚଳରେ ଜଳବନ୍ଦୀ, ଯାତାୟାତ ବାଧାପ୍ରାପ୍ତ ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି।
ମହାନଦୀ କୂଳିଆ ଜିଲ୍ଲାରେ ହାଇଆଲର୍ଟ
ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ସହ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବଢ଼ୁଥିବାରୁ ମହାନଦୀ ଅବବାହିକାର ଜିଲ୍ଲାଗୁଡ଼ିକର ପ୍ରଶାସନକୁ ହାଇଆଲର୍ଟ ରଖାଯାଇଛି। ନଦୀ କୂଳିଆ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭାବେ ନଦୀ ନିକଟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।