ଅଗଷ୍ଟ ୨୩ରେ ପିଙ୍କ୍ ସିଟି ଜୟପୁରରେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ୍ ଫିନାଲେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ୫୨ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ କେରଳର କେଜିଆ ଲିଜ୍ ମେଜୋ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ଆଖ୍ୟା ହାସଲ କରିଛନ୍ତି। ଏହି ଜାତୀୟ ଟାଇଟଲ୍ ସହିତ କେଜିଆ ଲିଜ୍ ମେଜୋ ଏବେ ୭୫ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ, ଯାହା ଆସନ୍ତା ନଭେମ୍ବର ମାସରେ ପ୍ୟୁର୍ଟୋ ରିକୋରେ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ପ୍ରତିଯୋଗିତାରେ ସାରା ଦେଶରୁ ଆସିଥିବା ସୁନ୍ଦରୀମାନେ ନିଜର ଆତ୍ମବିଶ୍ୱାସ, ସୌନ୍ଦର୍ଯ୍ୟ ଓ ପ୍ରତିଭା ବଳରେ ସମସ୍ତଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ। ତେବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦ୍ୱାରା ଜଜ୍ମାନଙ୍କ ମନ ଜିଣି ଖିତାବ ନିଜ ନାମରେ କରିଥିବା ସୁନ୍ଦରୀ ଜଣକ ହେଉଛନ୍ତି କେଜିଆ ଲିଜ୍ ମେଜୋ।
ଏହି ପ୍ରତିଯୋଗିତାରେ କେରଳର କେଜିଆ ଲିଜ୍ ମେଜୋ ବିଜେତ୍ରୀ ହୋଇଥିବା ବେଳେ ତାମିଲନାଡ଼ୁର ବୈଷ୍ଣବୀ ଗଣେଶ ପ୍ରଥମ ରନର୍ସ-ଅପ୍ (ଦ୍ୱିତୀୟ ସ୍ଥାନ) ଏବଂ ଗୁଜରାଟର ଅନୁଶ୍ରୀ ସାତବଲେକର ଦ୍ୱିତୀୟ ରନର୍ସ-ଅପ୍ (ତୃତୀୟ ସ୍ଥାନ) ହୋଇଛନ୍ତି।
କିଏ ଏହି କେଜିଆ ଲିଜ୍ ମେଜୋ?
ମାଭେଲିକ୍କାରାର ବାସିନ୍ଦା ୧୯ ବର୍ଷୀୟା କେଜିଆ ଲିଜ୍ ମେଜୋ ଜଣେ ଆଇନ ଛାତ୍ରୀ (Law Student) ଏବଂ ମୋଡେଲ୍। ୨୦୨୫ ମସିହାରେ ସେ ‘ମିସ୍ ଟିନ୍ ଇଣ୍ଟରନ୍ୟାସନାଲ୍’ରେ ଭାରତର ପ୍ରତିନିଧିତ୍ୱ କରିବା ସହ ପ୍ରଥମ ରନର୍ସ-ଅପ୍ ହୋଇଥିଲେ। ତାଙ୍କ ଇନ୍ଷ୍ଟାଗ୍ରାମ୍ ବାୟୋରେ ତାଙ୍କୁ ଜଣେ ‘ମୋଡେଲ୍-ଆକ୍ଟର-ଡାନ୍ସର୍’ ଭାବେ ଦର୍ଶାଯାଇଛି। ଏହି ପ୍ଲାଟଫର୍ମରେ ତାଙ୍କର ୪୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି। ଏବେ ମାତ୍ର ୧୯ ବର୍ଷ ବୟସରେ ‘ମିସ୍ ୟୁନିଭର୍ସ ଇଣ୍ଡିଆ’ର ତାଜ ପିନ୍ଧି ସେ ଏକ ବଡ଼ ସଫଳତା ହାସଲ କରିଛନ୍ତି।
ଖିତାବ ଜିତିବା ପରେ କେଜିଆ ଲିଜ୍ ମେଜୋ ବ୍ୟୁଟି ପେଜେଣ୍ଟ ଦୁନିଆରେ ପାଦ ଥାପିବା ପୂର୍ବରୁ ନିଜର ଆତ୍ମବିଶ୍ୱାସର ଅଭାବ ସମ୍ପର୍କରେ ଖୋଲାଖୋଲି କଥା ହୋଇଛନ୍ତି। ସେ ମନେ ପକାଇ କହିଛନ୍ତି, "ବର୍ଷ ବର୍ଷ ଧରି ମୋ ପାଖରେ ନିଜର ଗୋଟିଏ ହେଲେ ବି ବିନା ଫିଲ୍ଟର ଥିବା ଫଟୋ ନଥିଲା। ମୁଁ ନିଜର ଲୁକ୍, ନିଜ ବ୍ୟକ୍ତିତ୍ୱ... ପ୍ରାୟ ସବୁ ଜିନିଷକୁ ନେଇ ଅସୁରକ୍ଷିତ (Insecure) ଅନୁଭବ କରୁଥିଲି।" ନିଜ ଉପରେ କାମ କରିବା, ବିଶେଷ କରି କଥାବାର୍ତ୍ତା ଶୈଳୀ, ବ୍ୟକ୍ତିତ୍ୱ ଓ ଲୁକ୍ରେ ସୁଧାର ଆଣିବା ତାଙ୍କୁ ଅଧିକ ଆତ୍ମବିଶ୍ୱାସୀ ହେବାରେ ସାହାଯ୍ୟ କରିଥିଲା।
୨୦୨୬ ଫାଇନାଲେରେ ଜୁରୀ ମେମ୍ବର କିଏ ଥିଲେ?
ଜୟପୁରରେ ଅନୁଷ୍ଠିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ୍ ଫିନାଲେରେ ସୁସ୍ମିତା ସେନ୍ଙ୍କ ନେତୃତ୍ୱରେ ଏକ ହାଇ-ପ୍ରୋଫାଇଲ୍ ଜୁରୀ ଟିମ୍ ସାମିଲ ଥିଲେ। ଏହି ପ୍ୟାନେଲ୍ରେ ପୂର୍ବତନ ଟାଇଟଲ୍-ହୋଲ୍ଡର ସେଲିନା ଜେଟଲୀ ଏବଂ ଉର୍ବଶୀ ରୌତେଲା ମଧ୍ୟ ଥିଲେ। ସେହିପରି ରିଆ ସିଂହା, ଫିଲ୍ମ ପ୍ରୋଡ୍ୟୁସର୍ ପ୍ରଜ୍ଞା କପୁର, ଆଣ୍ଟ୍ରପ୍ରିନୋଅର ଭିଶା ଲାଧିଆ, ମିସ୍ ଚାର୍ମ ୨୦୨୫ ଏନା ବ୍ଲାଙ୍କୋ ଏବଂ ଡର୍ମାଟୋଲୋଜିଷ୍ଟ ଡକ୍ଟର ସ୍ତୁତି ଖରେ ଶୁକ୍ଲା ମଧ୍ୟ ଜୁରୀର ଅଂଶ ଥିଲେ।
ସୂଚନାଯୋଗ୍ୟ, ସୁସ୍ମିତା ସେନ୍ ୧୯୯୪ ମସିହାରେ ଭାରତର ପ୍ରଥମ ମିସ୍ ୟୁନିଭର୍ସ ହୋଇଥିଲେ। ସେହିପରି ସେଲିନା ୨୦୦୧ରେ ମିସ୍ ୟୁନିଭର୍ସ ଇଣ୍ଡିଆ ଏବଂ ଉର୍ବଶୀ ୨୦୧୫ରେ ମିସ୍ ୟୁନିଭର୍ସ ଇଣ୍ଡିଆ ଖିତାବ ଜିତିସାରିଛନ୍ତି। ଏବେ କେରଳର କେଜିଆ ଲିଜ୍ ମେଜୋ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬ର ତାଜ ନିଜ ନାମରେ କରିଛନ୍ତି।