ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତ ପାଇଁ ବଡ଼ ଖବର। ବହୁ ପ୍ରତୀକ୍ଷିତ ଆନିମେଟେଡ୍ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଏବେ ଅଗଷ୍ଟ ୨୮ ତାରିଖରେ ଦେଶର ବିଭିନ୍ନ ସିନେମା ହଲ୍ରେ ମୁକ୍ତିଲାଭ କରିବ। ପୂର୍ବରୁ ଜୁଲାଇ ୧୭ରେ ଫିଲ୍ମଟି ରିଲିଜ୍ ହେବାକୁ ଥିଲା। ତେବେ ଆଇନଗତ ବିବାଦ କାରଣରୁ ରିଲିଜ୍ ଅଟକି ଯାଇଥିଲା।
ଓଡ଼ିଶାର ପ୍ରଥମ ଆନିମେଟେଡ୍ ଫିଚର ଫିଲ୍ମ ଭାବେ ନିର୍ମିତ ଏହି ସିନେମାଟି ଯୁବପିଢ଼ିଙ୍କ ମନରେ ଭକ୍ତି, ସଂସ୍କୃତି ଓ ମୂଲ୍ୟବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ କାଳ୍ପନିକ କାହାଣୀକୁ ଆଧାର କରି ତିଆରି ହୋଇଛି। ଫିଲ୍ମଟିକୁ ସିନେପଲିସ୍ ମାଧ୍ୟମରେ ରିଲିଜ୍ କରାଯିବ।
ଜୁଲାଇ ୧୭ରେ ଦେଶବ୍ୟାପୀ ରିଲିଜ୍ ପୂର୍ବରୁ ଏକ ଜନସ୍ୱାର୍ଥ ମାମଲା (PIL) ଆଧାରରେ ଓଡ଼ିଶା ହାଇକୋର୍ଟ ଫିଲ୍ମର ବିଷୟବସ୍ତୁର ନ୍ୟାୟିକ ସମୀକ୍ଷା ଦାବିକୁ ନେଇ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏହା ପରେ ପ୍ରଯୋଜନା ସଂସ୍ଥା ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା।
ଫିଲ୍ମକୁ CBFC ପକ୍ଷରୁ ‘U’ ସାର୍ଟିଫିକେଟ୍ ମିଳିଥିବା ଏବଂ ୩୦୦ରୁ ଅଧିକ ସିନେମା ହଲ୍ରେ ବୁକିଂ ହୋଇସାରିଥିବାରୁ ଆର୍ଥିକ କ୍ଷତି ହେଉଥିବା ଦର୍ଶାଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆପତ୍ତି ଉଠାଯାଇଥିଲା। ପରେ ସୁପ୍ରିମକୋର୍ଟ ଫିଲ୍ମର ଦେଶବ୍ୟାପୀ ମୁକ୍ତି ପାଇଁ ପଥ ପରିଷ୍କାର କରିଥିଲେ।
କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଯୋଜକ ତଥା Ele Animationsର ପ୍ରତିଷ୍ଠାତା ଦୁର୍ଗା ପ୍ରସାଦ ଦଳାଇ କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭକ୍ତି, ଭଲପାଇବା ଓ ଓଡ଼ିଆ ସଂସ୍କୃତି ପ୍ରତି ସମ୍ମାନ ସହ ଫିଲ୍ମଟି ନିର୍ମାଣ କରାଯାଇଛି। ସିନେମା ଓ ଆନିମେସନ୍ ମାଧ୍ୟମରେ ଶିଶୁ ଓ ପରିବାରଗୁଡ଼ିକ ପାଖରେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତି ଓ କୃପା ପହଞ୍ଚାଇବା ହିଁ ଲକ୍ଷ୍ୟ ବୋଲି ସେ କହିଛନ୍ତି।
ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଶ୍ରୀପଦ ୱାରଖେଡକର। କାହାଣୀ ଓ ସ୍କ୍ରିନ୍ପ୍ଲେ ଲେଖିଛନ୍ତି ପଲ୍ଲବୀ ଶର୍ମା। ଅର୍ଜିତ ଶ୍ରୀବାସ୍ତବ ମୂଳ ଗୀତର ସଙ୍ଗୀତ ଦେଇଥିବା ବେଳେ ଅଭିରାଲ କୁମାର ବ୍ୟାକଗ୍ରାଉଣ୍ଡ ସ୍କୋର ଏବଂ ଅତୁଲ କୁମାର ବର୍ମା ଗୀତ ରଚନା କରିଛନ୍ତି।
ଏହି ଫିଲ୍ମ ପୂର୍ବରୁ ମୁକ୍ତିଲାଭ କରିଥିବା ଆନିମେଟେଡ୍ ସିରିଜ୍ ‘ଜୟ ଜଗନ୍ନାଥ’ର ସଫଳତା ପରେ ଆସୁଛି। ଟେଲିଭିଜନ୍ରେ ପ୍ରସାରଣ ସମୟରେ ଏହି ସିରିଜ୍କୁ ଲକ୍ଷ ଲକ୍ଷ ଦର୍ଶକଙ୍କ ଭଲପାଇବା ମିଳିଥିଲା। ଏବେ ଅଗଷ୍ଟ ୨୮ରେ ‘ମହାପ୍ରଭୁ ଜଗନ୍ନାଥ’ ପରଦାକୁ ଆସିବାକୁ ଥିବାରୁ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିଛି।