ମାଲକାନଗିରି/ ନୟାଗଡ଼: ମାଲକାନଗିରି ତହସିଲ ଅନ୍ତର୍ଗତ ଝରାପାଲି ସର୍କଲର ରାଜସ୍ୱ ନିରୀକ୍ଷକ (RI) ସୂରଜ ବାଲା ପୁଣି ଭିଜିଲାନ୍ସ ଜାଲରେ। ପତ୍ନୀଙ୍କ ଅନୁସୂଚିତ ଜାତି (SC) ପ୍ରମାଣପତ୍ରର ଯାଞ୍ଚ ରିପୋର୍ଟ ପ୍ରଦାନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ତାଙ୍କୁ ଓଡ଼ିଶା ଭିଜିଲାନ୍ସ ଧରିଛି।
ସୂଚନା ଅନୁସାରେ, ଅଭିଯୋଗକାରୀ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ଫି’ ପୈଠ କରି ଅନଲାଇନ୍ରେ ଆବେଦନ କରିଥିଲେ। ତେବେ ଅଭିଯୋଗ ଅନୁସାରେ, ଆରଆଇ ସୂରଜ ବାଲା କାମରେ ବିଳମ୍ବ କରି ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆଗୁଆ ୮ ହଜାର ଟଙ୍କା ଏବଂ କାମ ସରିବା ପରେ ବାକି ୨ ହଜାର ଟଙ୍କା ଦେବାକୁ ଚୁକ୍ତି ହୋଇଥିଲା। ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା। ନିଜ ଅଫିସ୍ ଚାମ୍ବରରେ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ସୂରଜ ବାଲାଙ୍କୁ ଧରାଯାଇଥିଲା। ତାଙ୍କଠାରୁ ଟ୍ରାପ୍ ଟଙ୍କା ମଧ୍ୟ ଜବତ କରାଯାଇଛି।
ଗିରଫ ପରେ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଯାଞ୍ଚ ପାଇଁ ତାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚାଲିଛି। ତେବେ ଏହା ପ୍ରଥମ ଥର ନୁହେଁ। ୨୦୨୩ ମସିହାରେ ମଧ୍ୟ ଏକ EC କେସ୍ ନୋଟିସ୍ ପ୍ରଦାନ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସୂରଜ ବାଲା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଉକ୍ତ ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି।
ଅନ୍ୟପକ୍ଷରେ, ନୟାଗଡ଼ ଓଡ଼ଗାଁ ବ୍ଲକର ପୂର୍ବତନ ଜୁନିୟର ଇଞ୍ଜିନିୟର (JE) ଚିତ୍ତ ରଞ୍ଜନ ପରିଡ଼ାଙ୍କୁ ମଧ୍ୟ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରିଛି ଭିଜିଲାନ୍ସ କୋର୍ଟ। ଏକ CC ରୋଡ୍ ପ୍ରକଳ୍ପର ଫାଇନାଲ ବିଲ୍ ପାସ୍ କରିବା ପାଇଁ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିବା ମାମଲାରେ ଅତିରିକ୍ତ ସ୍ପେଶାଲ ଜଜ୍, ଭିଜିଲାନ୍ସ, ଭୁବନେଶ୍ୱର ତାଙ୍କୁ ୩ ବର୍ଷ କଠୋର କାରାଦଣ୍ଡ ସହ ଜରିମାନା ଦଣ୍ଡିତ କରିଛନ୍ତି। ଏହି ଦୁଇ ଘଟଣାରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନକୁ ପୁଣି ଚର୍ଚ୍ଚାକୁ ଆଣିଛି।