ରାୟଗଡ଼: ରାୟଗଡ଼ ଜିଲ୍ଲାରେ ଦୀର୍ଘଦିନ ଧରି ଚୋରି ଓ ଲୁଟ୍ କରି ଆତଙ୍କ ଖେଳାଇଥିବା ଏକ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ ଧରିବାରେ ବଡ଼ ସଫଳତା ପାଇଛି ପୁଲିସ। ଗ୍ୟାଙ୍ଗର ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କଠାରୁ ବିପୁଳ ପରିମାଣର ସୁନା, ରୁପା, ମୋବାଇଲ, ଗାଡ଼ି ଓ ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।
ମଙ୍ଗଳବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସ୍ପି ରାଜ ପ୍ରସାଦ। ରାୟଗଡ଼, କାଶୀପୁର, ଟିକିରି, ଚାନ୍ଦିଲି, ଗୁଣପୁର ସମେତ ବିଭିନ୍ନ ଥାନାର ଅଧିକାରୀ ଏବଂ ରାୟଗଡ଼, ଗୁଣପୁର ଓ ବିଷମକଟକ ଏସ୍ଡିପିଓ ଉପସ୍ଥିତ ଥିଲେ।
ପୁଲିସ ସୂଚନା ଅନୁସାରେ, ଗ୍ୟାଙ୍ଗ ସଦସ୍ୟମାନେ ପ୍ରଥମେ ଘର ମାଲିକଙ୍କ ଗତିବିଧି, ଘରେ ଲାଗିଥିବା ସିସିଟିଭି, ଗାଡ଼ି ଓ ସମ୍ପତ୍ତି ସମ୍ପର୍କରେ ରେକି କରୁଥିଲେ। ଘର ଖାଲି ଥିବା ଜାଣିବା ପରେ ତାଲା ଭାଙ୍ଗି ଚୋରି କରୁଥିଲେ। ଚୋରି ସୁନା ବିକ୍ରି କରିବାରେ ସମସ୍ୟା ହେଉଥିବାରୁ ଗ୍ୟାଙ୍ଗରେ ଥିବା ଜଣେ ସୁନାରିଙ୍କ ସହାୟତାରେ ଅଳଙ୍କାରକୁ ତରଳାଇ ଏହାର ରୂପ ବଦଳାଉଥିଲେ। ପରେ ବିଭିନ୍ନ ଗୋଲ୍ଡ ଲୋନ୍ ସଂସ୍ଥା ଓ ବ୍ୟାଙ୍କରେ ସୁନା ବନ୍ଧକ ରଖି ଋଣ ନେଉଥିଲେ କିମ୍ବା କମ୍ ଦାମରେ ବିକ୍ରି କରୁଥିଲେ।
ଜୁଲାଇ ୨୫ରେ ରମଣାଗୁଡ଼ା ଥାନା ଅଞ୍ଚଳରେ ଚୋରି ଏବଂ ଅଗଷ୍ଟ ୧ରେ ଡୋରାଗୁଡ଼ା ଥାନା ଅଞ୍ଚଳରୁ ସୁନା ଅଳଙ୍କାର ଚୋରି ଘଟଣା ପରେ ପୁଲିସ ତଦନ୍ତକୁ ଜୋରଦାର କରିଥିଲା। ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଣ୍ଟେଲିଜେନ୍ସ ୱିଙ୍ଗ, ସାଇବର ୟୁନିଟ୍ ଓ ସ୍ପେଶାଲ ରେଡ୍ ଟିମ୍କୁ ନେଇ ଗଠିତ ଟିମ୍ ଟେକ୍ନିକାଲ ତଥ୍ୟ ଓ ଗୁପ୍ତ ସୂଚନା ଆଧାରରେ ଗ୍ୟାଙ୍ଗର ସଦସ୍ୟଙ୍କ ନିକଟରେ ପହଞ୍ଚିଥିଲା।
ପୁଲିସ ପ୍ରାୟ ୮୦ ଗ୍ରାମ ସୁନା, ୫୮୧ ଗ୍ରାମ ରୁପା, ୩୪.୭୫ ଗ୍ରାମ ତରଳ ସୁନା ଏବଂ ଆର୍ଥିକ ସଂସ୍ଥାରେ ବନ୍ଧକ ରଖାଯାଇଥିବା ପ୍ରାୟ ୧୨୫.୭୬ ଗ୍ରାମ ସୁନା ଅଳଙ୍କାର ଜବତ କରିଛି। ଏହାସହ ୧୨ଟି ମୋବାଇଲ ଫୋନ୍, ତିନୋଟି କାର୍—ମାରୁତି ସୁଜୁକି ଏର୍ଟିଗା, ସେଭ୍ରୋଲେଟ୍ ଓ ବୋଲେରୋ ନିଓ ଏବଂ ଗୋଟିଏ ରୟାଲ ଏନ୍ଫିଲ୍ଡ ବୁଲେଟ୍ ଜବତ ହୋଇଛି। ତାଲା ଭାଙ୍ଗିବା ପାଇଁ ବ୍ୟବହୃତ ଲୁହା ରଡ୍, ସ୍କ୍ରୁଡ୍ରାଇଭର, ସୁନା ତରଳାଇବା ପାଇଁ ଗ୍ୟାସ୍ ସିଲିଣ୍ଡର, ସୁନା ଓଜନ ମେସିନ୍ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ପୁଲିସ ଜବତ କରିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଦଶମନ୍ତ ନାୟକ, ବିଷ୍ଣୁ ହରପାଲ, ପ୍ରଶାନ୍ତ ଝୋଡ଼ିଆ, ଦଇତାରୀ ନାୟକ, ବିପିନ ନାୟକ, ନରହରି ନାୟକ, ବାବୁଲା ନାୟକ, ବସନ୍ତରା କାର୍ତ୍ତିକ, ଆଜୁ ଓରଫ ଦିଲ୍ଲୀପ ପଲାଇ, ଶିବଶଙ୍କର ନାୟକ, ବସନ୍ତ ବେନିଆ ଓ ମଙ୍ଗୁଳୁ ନାଗ।ଏହି ଗ୍ୟାଙ୍ଗ ସହ ଆଉ କେତେ ଚୋରି ଓ ଲୁଟ୍ ଘଟଣାର ସମ୍ପର୍କ ରହିଛି, ସେନେଇ ପୁଲିସର ତଦନ୍ତ ଜାରି ରହିଛି।