ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଦ୍ରୁତ ସହରୀକରଣ ଯୋଗୁଁ ବଦଳୁଛି ପରିବେଶ। ଦିନକୁ ଦିନ ଗଢ଼ି ଉଠୁଛି ନୂଆ ନୂଆ ଅଟ୍ଟାଳିକା ଓ ଆପାର୍ଟମେଣ୍ଟ। ହେଲେ ଏହାରି ଭିତରେ ହଜିଯାଉଛି ଖୋଲା ସ୍ଥାନ ଓ ଗୋରୁ ଚରିବା ପାଇଁ ଥିବା ଜମି। ଫଳରେ ଏବେ ରାସ୍ତା ଉପରେ ଦେଖିବାକୁ ମିଳୁଛି ଗୋରୁ ଗାଈଙ୍କ ଭିଡ଼।
ଜଟଣୀରୁ ସୁନ୍ଦରପଦାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଏହାର ଏକ ସ୍ପଷ୍ଟ ଉଦାହରଣ। ଦିନରାତି ଗାଡ଼ିମୋଟର ଚଳାଚଳ କରୁଥିବା ଏହି ରାସ୍ତାରେ କେଉଁଠି ଡିଭାଇଡର କଡ଼ରେ ଗାଈ ଘାସ ଖାଉଛନ୍ତି, ତ ଆଉ କେଉଁଠି ରାସ୍ତା ଉପରେ ଶୋଇ ରହୁଛନ୍ତି। ଜାମୁକୋଳି ଛକଠାରୁ ସୁନ୍ଦରପଦା ଯାଏଁ ଏଭଳି ଦୃଶ୍ୟ ନିତିଦିନିଆ ହୋଇପଡ଼ିଛି।
ସ୍ଥାନୀୟ ଅଞ୍ଚଳରେ ଥିବା ଖୋଲା ପଡ଼ିଆ ଓ ଚାଷ ଜମି ଧୀରେ ଧୀରେ କଂକ୍ରିଟ୍ ଜଙ୍ଗଲରେ ପରିଣତ ହେଉଥିବାରୁ ଗୋରୁଙ୍କ ପାଇଁ ଚରିବାକୁ ଜାଗା ରହୁନାହିଁ। ଫଳରେ ସେମାନେ ରାସ୍ତାକୁ ଆସିବାକୁ ବାଧ୍ୟ ହେଉଛନ୍ତି।
ତେବେ ରାସ୍ତାରେ ଗୋରୁ ରହିବା କେବଳ ପଶୁଙ୍କ ପାଇଁ ବିପଦ ନୁହେଁ, ଯାତ୍ରୀଙ୍କ ପାଇଁ ମଧ୍ୟ ବଡ଼ ବିପଦ ସୃଷ୍ଟି କରୁଛି। ହଠାତ୍ ଗାଈ ରାସ୍ତା ପାର ହେବା କିମ୍ବା ରାସ୍ତା ଉପରେ ଶୋଇଥିବାରୁ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହେବାର ଆଶଙ୍କା ରହୁଛି। ବେଳେବେଳେ ଦ୍ରୁତଗାମୀ ଗାଡ଼ି ଧକ୍କାରେ ଗୋରୁଙ୍କ ମୃତ୍ୟୁ ମଧ୍ୟ ଘଟୁଛି।
ଜଣେ ଅଟୋ ଚାଳକ କହିଛନ୍ତି, “ରାସ୍ତା ଉପରେ ଗାଈ ଶୋଇ ରହୁଥିବାରୁ ଗାଡ଼ି ଚଳାଇବା ବହୁତ କଷ୍ଟକର ହେଉଛି। ଜାମୁକୋଳି ଛକଠାରୁ ସୁନ୍ଦରପଦା ପର୍ଯ୍ୟନ୍ତ ଅନେକ ଗାଈ ରାସ୍ତା ଉପରେ ଶୋଇଥିବା ଦେଖାଯାଉଛି। ଏହାର ଶୀଘ୍ର ସମାଧାନ ହେବା ଦରକାର।”
ଜଟଣୀର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେହେରା କହିଛନ୍ତି ଯେ, କୌଣସି ଦୁର୍ଘଟଣା ଘଟିଲେ ସହାୟତା ପାଇଁ ଟୋଲ୍-ଫ୍ରି ନମ୍ବରରେ ଯୋଗାଯୋଗ କରାଯାଇପାରିବ। ଆମ୍ବୁଲାନ୍ସ ସେବା ସହ ଜଟଣୀରେ ଏକ ଘରୋଇ ଗୋଶାଳା ମଧ୍ୟ ରହିଛି। ଲୋକମାନେ ନିଜ ଗୋରୁଙ୍କୁ ଦାୟିତ୍ୱର ସହ ରଖନ୍ତୁ ଏବଂ ରାସ୍ତାରେ ଛାଡ଼ନ୍ତୁ ନାହିଁ ବୋଲି ସେ ଅପିଲ୍ କରିଛନ୍ତି।
କେବଳ ଜଟଣୀ ନୁହେଁ, ରାଜଧାନୀର ପ୍ରବେଶପଥଠାରୁ ଆରମ୍ଭ କରି ବିଭିନ୍ନ ହାଇୱେରେ ମଧ୍ୟ ରାସ୍ତା ଉପରେ ଗୋରୁଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ସହର ବଢ଼ିବା ସହ ଖୋଲା ଜମି କମୁଥିବା ବେଳେ ଗୋରୁଙ୍କ ପାଇଁ ସୁରକ୍ଷିତ ଚରାଭୂମି ଓ ଉପଯୁକ୍ତ ବ୍ୟବସ୍ଥା କରିବା ଏବେ ଜରୁରୀ ହୋଇପଡ଼ିଛି।