ଭୁବନେଶ୍ୱର: ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରିଛି ଜଳ ସମ୍ପଦ ବିଭାଗ । ବିଭିନ୍ନ ସ୍ଥାନରେ ସୁବର୍ଣ୍ଣରେଖା ଜଳ ସ୍ତର ବୃଦ୍ଧି ପାଉଛି । ଏହା ଦ୍ୱାରା ବାଲେଶ୍ୱର ସହିତ ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଭାବିତ ହୋଇପାରେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ରାଜସ୍ୱଙ୍କ ମନ୍ତ୍ରୀ ସୂଚନା ଆଧାରରେ ବର୍ଷା କମିଥିବାବେଳେ ଝାଡ଼ଖଣ୍ଡ ଚାନ୍ଦିଲି ଡ୍ୟାମରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଚାନ୍ଦିଲି ଜଳଭଣ୍ଡାରରୁ ୧୪୧୦.୪୨ କ୍ୟୁବେକ ଜଳ ନିଷ୍କାସିତ ହେଉଛି । ସୁବର୍ଣ୍ଣରେଖା ନଦୀରେ ଜଳ ସ୍ତର ବଢ଼ିବା ଫଳରେ ଏକ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହେବ । ସେଥିପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାରକାରୀ ଦଳ ଓ ରିଲିଫ୍ ସହାୟତା ସମ୍ପୂର୍ଣ୍ଣ ଯୋଗାଇ ଦିଆଯିବ । ଏହା ସହିତ ସଲଗ୍ନ ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ଏଥିପାଇଁ ସତର୍କ କରାଯାଇଛି ।
ସେପଟେ ବ୍ରାହ୍ମଣୀ, ବୈତରଣୀ ଏବଂ ବୁଢାବଳଙ୍ଗରେ ବନ୍ୟା ଜଳ ସ୍ତର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଚଳିତ ପର୍ଯ୍ୟାୟ ବନ୍ୟାରେ ୬ ଜିଲ୍ଲାର ୬୮ ବ୍ଲକରେ ପ୍ରଭାବିତ ହୋଇଛି । ମୋଟ ୪୬୯ ପଞ୍ଚାୟତ ୧୫୭୯ ଗାଁ ଓ ୧୦ ସହରାଞ୍ଚଳର ୬୪ ୱାର୍ଡ ପ୍ରଭାବିତ ହୋଇଛନ୍ତି । ୧୧ ଲକ୍ଷ ୬୫ ହଜାର ୮୩୭ ଲୋକ ପ୍ରଭାବିତ ହୋଇଥିବା ବେଳେ ୪ ଲକ୍ଷ ୨୬ ହଜାର ୬୭୫ ସ୍ଥାନାନ୍ତରିତ । ୫୮ ହଜାର ୪୬୫ ହେକ୍ଟର ଜମି ପ୍ରଭାବିତ । ୧୮୮୨ ଘର ପ୍ରଭାବିତ ହୋଇଛି ।
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଆଧାରରେ ସୁବର୍ଣ୍ଣରେଖାରେ ପାଣିର ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଜି ରାତି ୧୨ ଟା ସୁଦ୍ଧା ପିକ୍ ଫ୍ଲଡ୍ ଆସିବ । ଫଳରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ୱର ବ୍ଲକ ବିଶେଷ ଭାବେ ପ୍ରଭାବିତ ହେବ । ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଯୋଗୁଁ ଜଳବନ୍ଦୀ ସ୍ଥିତି ସଙ୍ଗୀନ ରହିଛି । ବନ୍ୟା ଜଳ ନିଷ୍କାସନ ପାଇଁ ଆହୁରି ୩ ରୁ ୪ ଦିନ ସମୟ ଲାଗିପାରେ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଜଳକା, ବ୍ରାହ୍ମଣୀ, ବୈତରଣୀ ଏବଂ ସାଳନ୍ଦୀକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ଏହି ସମସ୍ତ ନଦୀରେ ଜଳ ସ୍ତର ହ୍ରାସ ପାଇଛି ତ କେଉଁଠି ସ୍ଥିର ରହିଛି । ବୈତରଣୀରେ ଜଳ ସ୍ତର ହ୍ରାସ ପାଇ ୧୮.୫୭ ଫୁଟରେ ରହିଛି । ସାଳନ୍ଦୀରେ ସ୍ଥିର ରହିଥିବାବେଳେ ବୁଢ଼ାବଳଙ୍ଗ ବିପଦ ସଙ୍କେତ ତଳେ ରହିଛି ।