କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ପାଣି ଘେରରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା କୂଳସାହି ଆଶ୍ରମ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଦ୍ଧାର ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଆଜି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ୩ଟି ଓଡ୍ରାଫ୍ ଟିମ୍ ପହଁଚିଛନ୍ତି । ଏକ ୨୫ ଜଣିଆ ଓଡ୍ରାଫ୍ ଟିମ୍ କୂଳସାହିରେ ପହଁଚି ପିଲାଙ୍କ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି ।
ଖବର ଲେଖା ଯିବାବେଳକୁ ସୁଦ୍ଧା ୫୦ ଜଣ ପିଲା ଉଦ୍ଧାର ହୋଇଥିବାବେଳେ ସେମାନଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଓ ଖାଦ୍ୟର ବ୍ୟବସ୍ଥା କରାଯାଇଛି l ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓ, ତହସିଲଦାରଙ୍କ ସହ ସମସ୍ତ ପ୍ରଶାସନିକ ଅଧିକାରୀ, ଉପସ୍ଥିତ,ଚାରୋଟି ବସ ଯୋଗେ ପିଲାମାନଙ୍କୁ ଆଳି ବ୍ଲକ ମହାଦେଇ ପାଟଣାଆବାସିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉଛି l
ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଦ୍ୱାରା କୂଳସାହି ଆବାସିକ ବିଦ୍ୟାଳୟରେ ୩୦୦ ଛାତ୍ରଛାତ୍ରୀ ଫସିରହିଛନ୍ତି । ପାଣି ଘେରରେ ରହିବା ଦ୍ୱାରା ପିଲାମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମସ୍ତଙ୍କୁ ଉପର ମହଲାରେ ରଖାଯିବା ସହିତ ରନ୍ଧା ଖାଦ୍ୟ ଦିଆଯାଇଥିଲା । ତଥାପି ଛୋଟ ପିଲା ସାପ ଏବଂ ଜନ୍ତୁଙ୍କ ଭୟରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଗୁହାରି କରିଥିଲେ ।