ମୟୁରଭଞ୍ଜ: ଗୁଣିଆଙ୍କ କଳା କାରନାମା । ଝଡ଼ା ଫୁଙ୍କା କରିବାର ଆଳରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ । ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ତଥା ଝରାଡିହି ଫାଣ୍ଡି ଅନ୍ତର୍ଗତ ଦଲସରା ଅଞ୍ଚଳର ଗୁଣିଆ ରାଧୁ କିସ୍କୁ (୪୦) ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଝରାଡିହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦେହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା । ଡାକ୍ତରଙ୍କ ଦେଖାଇ ଔଷଧ ଖାଇବା ପରେ ମଧ୍ୟ ସେ ସୁସ୍ଥ ନହେବାରୁ ତାଙ୍କ ୧୯ ବର୍ଷୀୟ କଲେଜ୍ ପଢୁଆ ଝିଅ ଗୁଣିଆ ରାଧୁ କିସ୍କୁଙ୍କ ନିକଟକୁ ନେଇଥିଲେ । କିନ୍ତୁ ଗୁଣିଆ ବାପାକୁ ଝାଡ଼ିବା ବଦଳରେ ଝିଅକୁ ଝାଡ଼ିବାକୁ କହିଥିଲା । ଯୁବତୀଙ୍କୁ ଏକ ଘରକୁ ନେଇ ଝଡା ଫୁଙ୍କା କରିଲେ ତାଙ୍କ ବାପା ସୁସ୍ଥ ହୋଇଯିବେ ତାଙ୍କୁ କହିଥିଲେ । ଏହା ପରେ ଗୋଟିଏ ବନ୍ଦ କୋଠରୀ ଭିତରେ ସମ୍ପୃକ୍ତ କଲେଜ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ । ଉକ୍ତ ଘଟଣା ସମ୍ପର୍କରେ କାହାକୁ କହିଲେ ତାଙ୍କ ବାପା ସୁସ୍ଥ ହେବେ ନାହିଁ ବୋଲି ଭୟଭୀତ କରାଇଥିଲେ । ଯୁବତୀ ଜଣଙ୍କ ଭୟଭୀତ ହୋଇ ସେ ବିଷୟରେ କାହାରିକୁ କିଛି କହିନଥିଲେ । ପରବର୍ତ୍ତୀ ସମୟରେ ଗୁଣିଆ ଜଣକ ଅମାବାସ୍ୟା ରାତିରେ ଝଡା ଫୁଙ୍କା କରିବେ ବୋଲି ଯୁବତୀଙ୍କୁ ଡାକିଥିଲେ । ଯୁବତୀ ଜଣଙ୍କ ଗୁଣିଆ ପାଖକୁ ଯିବା ପରେ ଏକ ଘରେ ତାଙ୍କୁ ଏକୁଟିଆ ରଖି ଦୁଷ୍କର୍ମ କରିଥିଲେ ।
ଏହା ପରେ ରାଧୁ ଜଣେ ଭଣ୍ଡ ଗୁଣିଆ ବୋଲି ଜାଣିବାକୁ ପାଇ ଛାତ୍ରୀ ଜଣକ ତିରିଂ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଅଭିଯୋଗ ପରେ ତିରିଙ୍ଗ ପୋଲିସ କେସ ନଂ ୧୨୫/୨୬ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ରାଧୁକୁ ପୋଲିସ ଗିରଫ କରିବା ପରେ ଉଭୟଙ୍କୁ ଡାକ୍ତରୀ ମାଇନା କରାଯାଇଥିଲା । ଗିରଫ ଠକ ଗୁଣିଆକୁ କୋର୍ଟ ଚାଲାଣ କରିଛି ପୋଲିସ ।