ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳର ଲୁହୁରାଚାଟିସ୍ଥିତ ସୋହେଲା ଢାବା ନିକଟରେ ୫୩ ନଂ ଜାତୀୟ ରାଜପଥ ପାର୍ଶ୍ୱରେ କଫ ସିରପ୍ର ବେଆଇନ କାରବାର ଧରାପଡ଼ିଛି। ଅଗଷ୍ଟ ୧୭ ତାରିଖ ରାତି ପ୍ରାୟ ୧୦ଟା ୪୫ରୁ ୧୧ଟା ୧୮ ମିନିଟ୍ ମଧ୍ୟରେ ପାଟ୍ରୋଲିଂ କରିବା ସମୟରେ ଏସଆଇ ପ୍ରମୋଦ କୁମାର ସାହୁ, ଏସଆଇ ରବି ନାରାୟଣ ପ୍ରଧାନ ଓ ପୋଲିସ କର୍ମଚାରୀମାନେ ଚଢ଼ାଉ କରିଥିଲେ।
ପୋଲିସ ଘଟଣାସ୍ଥଳରୁ ଅଲେଖ ସାହୁ (୩୩) ଓ ଆଦିତ୍ୟ ଓରଫ ଆଦି ମହାପାତ୍ର (୪୨)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪୬ଟି କଫ ସିରପ୍ ବୋତଲ, ପ୍ରାୟ ୧୦ ଲିଟର ମିଶ୍ରିତ ତରଳ ପଦାର୍ଥ ଥିବା ୨ଟି ପ୍ଲାଷ୍ଟିକ୍ ଜର୍କିନ୍, ୧୨ଟି ପ୍ଲାଷ୍ଟିକ୍ ଗ୍ଲାସ୍, ୩ଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ କଳା ରଙ୍ଗର ସ୍କର୍ପିଓ ଜବତ କରାଯାଇଛି।
ତେବେ ଘଟଣାସ୍ଥଳରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ମନୋଜ ମହାପାତ୍ର ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଛି। ଏନେଇ ସୋହେଲା ଥାନାରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।