ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ପୁଣି ବଢ଼ିବାରେ ଲାଗିଛି। ମଙ୍ଗଳବାରର ସଦ୍ୟତମ ୩ ଘଣ୍ଟିଆ ରିଜର୍ଭୟାର ରିପୋର୍ଟ ଅନୁଯାୟୀ, ହୀରାକୁଦର ଜଳସ୍ତର ୬୨୦.୦୨ ଫୁଟ୍ରେ ପହଞ୍ଚିଛି। ଜଳପ୍ରବେଶ ବଢ଼ୁଥିବାରୁ ଜଳଭଣ୍ଡାରର ୧୪ଟି ସ୍ଲୁଇସ୍ ଗେଟ୍ ଖୋଲା ରଖାଯାଇଛି।
ଖୋଲା ଥିବା ୧୪ଟି ଗେଟ୍ ମଧ୍ୟରୁ ବାମ ପାର୍ଶ୍ୱରେ ୯ଟି ଏବଂ ଡାହାଣ ପାର୍ଶ୍ୱରେ ୫ଟି ଗେଟ୍ ରହିଛି। ଜଳଭଣ୍ଡାରକୁ ହାରାହାରି ୨,୨୪,୬୧୪ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ହାରାହାରି ୧,୯୯,୨୬୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି।
ନିଷ୍କାସିତ ପାଣି ମଧ୍ୟରୁ ସ୍ପିଲୱେ ଦେଇ ୧,୬୪,୫୩୫ କ୍ୟୁସେକ୍ ଏବଂ ପାୱାର ଚ୍ୟାନେଲ ଦେଇ ୩୧,୭୫୬ କ୍ୟୁସେକ୍ ପାଣି ଛଡ଼ାଯାଉଛି। ଶିଳ୍ପ ବ୍ୟବହାର ପାଇଁ ପ୍ରାୟ ୨୨୯ କ୍ୟୁସେକ୍ ଏବଂ କେନାଲ ଦେଇ ୨,୭୪୪ କ୍ୟୁସେକ୍ ପାଣି ନିଷ୍କାସନ ହେଉଛି।
ଏପଟେ ହୀରାକୁଦରୁ ଅଧିକ ପରିମାଣରେ ପାଣି ଛଡ଼ାଯିବା ପରେ ତଳମୁଣ୍ଡର ବିଭିନ୍ନ ନଦୀ ଗେଜ୍ରେ ମଧ୍ୟ ଜଳପ୍ରବାହ ବଢ଼ୁଥିବା ଦେଖାଯାଇଛି। ଖଇରମାଳରେ ଜଳପ୍ରବାହ ୨,୬୪,୦୦୦ କ୍ୟୁସେକ୍ ରେକର୍ଡ ହୋଇଥିବା ବେଳେ ବରମୂଳରେ ୧,୪୪,୦୦୦ କ୍ୟୁସେକ୍ ରହିଛି। ମୁଣ୍ଡଳୀରେ ୧,୬୦,୯୩୮ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି ଏବଂ ଏଠାରେ ସ୍ଥିତି ସ୍ଥିର ରହିଛି। ସେହିପରି ବେଲଗାଁରେ ୧୯,୦୦୦ କ୍ୟୁସେକ୍ ଏବଂ ପଥର୍ଲାରେ ୪୮,୭୩୬ କ୍ୟୁସେକ୍ ଜଳପ୍ରବାହ ରେକର୍ଡ ହୋଇଛି।
ସନ୍ଧ୍ୟା ୫ଟା ସୁଦ୍ଧା ହୀରାକୁଦରୁ ମୋଟ ୨,୫୩,୯୮୭ କ୍ୟୁସେକ୍ ପାଣି ଛଡ଼ାଯାଉଥିବା ସୂଚନା ମିଳିଛି। ଏଥିରୁ ୨,୧୯,୪୦୮ କ୍ୟୁସେକ୍ ପାଣି ସ୍ପିଲୱେ ଦେଇ ନିଷ୍କାସିତ ହେଉଛି।
ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବା ଏବଂ ତଳମୁଣ୍ଡକୁ ବିପୁଳ ପରିମାଣର ପାଣି ଛଡ଼ାଯାଉଥିବାରୁ ମହାନଦୀ ଅବବାହିକାର ସ୍ଥିତି ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ବିଶେଷକରି ତଳମୁଣ୍ଡର ଅଞ୍ଚଳଗୁଡ଼ିକରେ ଜଳପ୍ରବାହ ଓ ନଦୀର ଜଳସ୍ତରକୁ ନିରନ୍ତର ମନିଟରିଂ କରାଯାଉଛି।