ଭୁବନେଶ୍ୱର: ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ବଡ଼ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ଆକଳନ ଏବଂ ସ୍ଥିତି ସମୀକ୍ଷା ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଜାରେ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଲୋକସେବା ଭବନରେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ ଓ ଏସ୍ଆର୍ସି ଉପସ୍ଥିତ ଥିଲେ।
ଗତକାଲି ମୁଖ୍ୟମନ୍ତ୍ରୀ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତିର ଗ୍ରାଉଣ୍ଡ ରିପୋର୍ଟ ନେଇଥିଲେ। ଚାଷୀ, ମତ୍ସ୍ୟଜୀବୀ, ହସ୍ତଶିଳ୍ପୀ ଓ ସାଧାରଣ ଲୋକଙ୍କ କ୍ଷତିକୁ ଆଧାର କରି ପ୍ରାଥମିକ ଭାବେ ଏହି ପ୍ୟାକେଜ୍ ଘୋଷଣା ହୋଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ପ୍ୟାକେଜ୍ର ପରିମାଣ ଆହୁରି ବଢ଼ିପାରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଚାଷୀଙ୍କ ପାଇଁ ବଡ଼ ସହାୟତା
ବନ୍ୟାରେ ୩୩ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିଲେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସହାୟତା ମିଳିବ। ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମି ପାଇଁ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ।
କ୍ଷତିଗ୍ରସ୍ତ ଚାଷୀଙ୍କୁ ଧାନ ଓ ଅଣଧାନ ବିହନ କିଣିବା ପାଇଁ ଆର୍ଥିକ ସହାୟତା ସହ ମାଗଣା ପନିପରିବା ମିନି କିଟ୍ ଯୋଗାଇ ଦିଆଯିବ। ବନ୍ୟା ପରେ ରୋଗପୋକ ଯୋଗୁଁ ଫସଲ ନଷ୍ଟ ହେଲେ ୭୫% ସବସିଡି ମିଳିବ। କ୍ଷତିଗ୍ରସ୍ତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାଯିବ।
ମତ୍ସ୍ୟଜୀବୀ, ହସ୍ତଶିଳ୍ପୀଙ୍କୁ ବି ସହାୟତା
ବନ୍ୟାରେ ପୋଖରୀ, ଡଙ୍ଗା ଓ ମାଛଧରା ଜାଲ ନଷ୍ଟ ହୋଇଥିଲେ ଆର୍ଥିକ ସହାୟତା ମିଳିବ। ପ୍ରାଣୀ ସମ୍ପଦ କ୍ଷତି ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯିବ। ସେହିପରି ବନ୍ୟାରେ କ୍ଷତିଗ୍ରସ୍ତ ହସ୍ତଶିଳ୍ପୀଙ୍କୁ ୫,୦୦୦ ଟଙ୍କା ଆର୍ଥିକ ସହାୟତା ମିଳିବ।
ବନ୍ୟାରେ ନଷ୍ଟ ହୋଇଥିବା ବାସନକୁସନ ଓ ପୋଷାକ ପାଇଁ ମଧ୍ୟ ସରକାର ଆର୍ଥିକ ସହାୟତା ଦେବେ। ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦି ଖରିଫ ଋଣକୁ ମଧ୍ୟମ ମିଆଦି କୃଷି ଋଣରେ ପରିବର୍ତ୍ତନ କରାଯିବ।
ବନ୍ୟା ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ରିଲିଫ୍ ଚାଉଳ ଯୋଗାଣ ଜାରି ରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ରିଲିଫ୍ ନୁହେଁ, ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ଲୋକଙ୍କ ଜୀବିକାକୁ ସ୍ୱାଭାବିକ କରିବା ଉପରେ ସରକାରର ମୁଖ୍ୟ ଫୋକସ୍ ରହିବ।