ରାଉରକେଲାରେ ଭୟଙ୍କର ଅଗ୍ନିକାଣ୍ଡ। ପ୍ଲାଣ୍ଟ ସାଇଟ୍ ରୋଡ୍ ନିକଟସ୍ଥ ଏକ ମାର୍କେଟ୍ କମ୍ପ୍ଲେକ୍ସରେ ହଠାତ୍ ନିଆଁ ଲାଗି ଅନେକ ଦୋକାନ ଜଳିଯାଇଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ପ୍ରଥମେ ଏକ ମୋବାଇଲ୍ ଫୋନ୍ ଦୋକାନରୁ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ପାଖରେ ଥିବା ଅନ୍ୟ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା। ଫଳରେ ବିଭିନ୍ନ ଦୋକାନରେ ଥିବା ମୋବାଇଲ୍, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଜଳିଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀର ଗୋଟିଏ ଗାଡ଼ି ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ନିଆଁର ଭୟାବହତାକୁ ଦେଖି ପରେ ଆଉ ଦୁଇଟି ଅଗ୍ନିଶମ ୟୁନିଟ୍ ମୁତୟନ କରାଯାଇଥିଲା। ଦୀର୍ଘ ସମୟର ଅପରେସନ୍ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ ମଧ୍ୟ କରାଯାଇନାହିଁ। ପ୍ରାଥମିକ ଆକଳନ ଅନୁସାରେ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ବେଳେ ଘଟଣାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।