ଭୁବନେଶ୍ୱର: ବନ୍ୟା ପରେ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ତତ୍ପର ହୋଇଛି ଓଡ଼ିଶା ସରକାର। ବନ୍ୟା ପ୍ରଭାବିତ ଅଞ୍ଚଳରେ ସୁରକ୍ଷିତ ପାନୀୟ ଜଳ ଯୋଗାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଥିବା ବେଳେ ଜଳ ଉତ୍ସଗୁଡ଼ିକର ବିଶୋଧନ ସହ ନିୟମିତ ଭାବେ ପାଣିର ମାନ ପରୀକ୍ଷା କରାଯାଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି। ଅଗଷ୍ଟ ୧୭ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ବନ୍ୟା ପ୍ରଭାବିତ ଅଞ୍ଚଳର ୧୪୬୧ଟି ନଳକୂପ ଏବଂ ୮୯ଟି ପାଇପ୍ଡ ୱାଟର ସପ୍ଲାଏ (PWS) ପ୍ରକଳ୍ପର ଜଳ ଉତ୍ସକୁ ବିଶୋଧିତ କରାଯାଇଛି।
କେବଳ ଜଳ ଉତ୍ସ ବିଶୋଧନ ନୁହେଁ, ପାଣି ପିଇବା ଯୋଗ୍ୟ କି ନାହିଁ, ସେନେଇ ନିୟମିତ ଭାବେ ଜଳର ଗୁଣବତ୍ତା ପରୀକ୍ଷା କରାଯାଉଛି। ଲୋକଙ୍କ ପାଖରେ ଯେପରି ସୁରକ୍ଷିତ ପାନୀୟ ଜଳ ପହଞ୍ଚିବ, ତାହା ଉପରେ ବିଭାଗୀୟ ଅଧିକାରୀମାନେ ନଜର ରଖିଛନ୍ତି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣକୁ ସ୍ୱାଭାବିକ ରଖିବା ପାଇଁ ୨୭ଟି ପାଣି ଟ୍ୟାଙ୍କର, ୬୯ଟି ସିଣ୍ଟେକ୍ସ ଟ୍ୟାଙ୍କ ଗାଡ଼ି ଏବଂ ୬ଟି ମୋବାଇଲ ଟ୍ରିଟମେଣ୍ଟ ୟୁନିଟ୍ ନିୟୋଜିତ ହୋଇଛି। ବିଦ୍ୟୁତ୍ ସରବରାହ ବନ୍ଦ ଥିବା ଅଞ୍ଚଳରେ ଡିଜି ସେଟ୍ ମାଧ୍ୟମରେ PWS ପ୍ରକଳ୍ପଗୁଡ଼ିକୁ ଚାଲୁ ରଖାଯାଉଛି।
ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳ ଓ ରିଲିଫ୍ କ୍ୟାମ୍ପଗୁଡ଼ିକରେ ତୁରନ୍ତ ସ୍ୱାସ୍ଥ୍ୟସେବା, ଔଷଧ ଓ ମେଡିକାଲ ଚେକ୍ଅପ୍ ଯୋଗାଇ ଦିଆଯାଉଛି। ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତିଙ୍କ ଉପରେ ବିଶେଷ ନଜର ରଖାଯାଇଛି।
ବନ୍ୟା ପରେ ଜଳବାହିତ ରୋଗ ଯେପରି ନ ବ୍ୟାପେ, ସେଥିପାଇଁ ସରକାର ପ୍ରତିଷେଧମୂଳକ ପଦକ୍ଷେପ ନେଉଛନ୍ତି। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସ୍ଥିତିର ନିରନ୍ତର ନିରୀକ୍ଷଣ କରାଯାଉଥିବା ବେଳେ ଆବଶ୍ୟକତା ଅନୁସାରେ ତୁରନ୍ତ ପଦକ୍ଷେପ ନିଆଯାଉଛି।