ବାଲେଶ୍ୱର: ଉପରମୁଣ୍ଡରେ ଲାଗି ରହିଥିବା ପ୍ରବଳ ବର୍ଷା ଏବେ ବସ୍ତାବାସୀଙ୍କ ଚିନ୍ତା ବଢ଼ାଇଛି। ଜଳକା ନଦୀର ଜଳସ୍ତର ମଥାନିଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି।
ମଥାନିଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ଥିବାବେଳେ ଆଜି ସକାଳ ୭ଟା ସୁଦ୍ଧା ଜଳସ୍ତର ୬.୯୦ ମିଟରରେ ପହଞ୍ଚିଛି। ଜଳସ୍ତର ଲଗାତାର ବଢ଼ୁଥିବାରୁ ନଦୀକୂଳିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ମଥାନି ମୁଖ୍ୟ ରାସ୍ତା ଉପରେ ପ୍ରାୟ ୧ରୁ ୨ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ଅନ୍ୟପଟେ ଜଳକା ନଦୀର ବନ୍ୟାଜଳ ଯୋଗୁଁ ୨୦ରୁ ଅଧିକ ଗାଁ ପାଣି ଘେରରେ ରହିଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେବାରୁ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ଉପରମୁଣ୍ଡରେ ବର୍ଷା ଜାରି ରହିଲେ ଜଳକାର ଜଳସ୍ତର ଆହୁରି ବଢ଼ିବା ସମ୍ଭାବନା ରହିଛି। ଫଳରେ ବସ୍ତାର ନଦୀକୂଳିଆ ଅଞ୍ଚଳରେ ପୁଣି ବନ୍ୟା ପରିସ୍ଥିତି ଗମ୍ଭୀର ହେବା ଆଶଙ୍କା କରାଯାଉଛି। ଏହାକୁ ନେଇ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଛନକା ପଶିଛି।