ପଶ୍ଚିମ ଓଡ଼ିଶାରୁ ରାଜଧାନୀ ଭୁବନେଶ୍ୱରକୁ ସିଧା ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବଡ଼ ଝଟକା। ଷ୍ଟାର ଏୟାର ତା’ର ହାଇଦ୍ରାବାଦ-ଝାରସୁଗୁଡ଼ା-ଭୁବନେଶ୍ୱର ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରିଛି। ସୋମବାରଠାରୁ ଏହି ସେବା ବନ୍ଦ ହୋଇଥିବା ବେଳେ ଅକ୍ଟୋବର ୨୪, ୨୦୨୬ ପର୍ଯ୍ୟନ୍ତ ଏହା ଚାଲିବ ନାହିଁ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।
ଷ୍ଟାର ଏୟାର ପକ୍ଷରୁ ଏହି ନିଷ୍ପତ୍ତି ପଛରେ ଅପରେସନାଲ୍ କାରଣ ଦର୍ଶାଯାଇଥିବା ଜଣାପଡ଼ିଛି। ଏନେଇ ଓଡ଼ିଶା ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହାସହ ଏହି ରୁଟ୍ରେ ବିମାନ ଚଳାଚଳ ଜାରି ରଖିବା ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ସହାୟତାକୁ ଆଉ ୬ ମାସ ବଢ଼ାଇବାକୁ ଏୟାରଲାଇନ୍ ପକ୍ଷରୁ ଅନୁରୋଧ କରାଯାଇଥିବା ସୂଚନା ରହିଛି।
ATF ଦର ବୃଦ୍ଧିର ପ୍ରଭାବ
ବିମାନ ଇନ୍ଧନ ବା ଏଟିଏଫ୍ ଦର ବଢ଼ିବା ଯୋଗୁଁ ଏହି ରୁଟ୍ରେ ବିମାନ ଚଳାଚଳର ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥିବା କୁହାଯାଉଛି। ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ସିଧା ବିମାନ ସେବା ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଦ୍ରୁତ ଯାତାୟାତର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା।
ଏହି ସେବା ବନ୍ଦ ହେବା ଦ୍ୱାରା ରୋଗୀ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସରକାରୀ କାମରେ ଭୁବନେଶ୍ୱର ଯାଉଥିବା ଲୋକ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ବିମାନ ସେବା ନଥିବାରୁ ଯାତ୍ରୀଙ୍କୁ ଏବେ ରେଳ କିମ୍ବା ସଡ଼କ ପଥରେ ଅଧିକ ସମୟ ଯାତ୍ରା କରିବାକୁ ପଡ଼ିପାରେ।
ଝାରସୁଗୁଡ଼ାରେ ଏବେ ଇଣ୍ଡିଗୋ ଭରସା
ବର୍ତ୍ତମାନ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଇଣ୍ଡିଗୋ ହିଁ ଏକମାତ୍ର ଏୟାରଲାଇନ୍ ଭାବେ ଦିଲ୍ଲୀ, କୋଲକାତା ଓ ବେଙ୍ଗାଲୁରୁକୁ ବିମାନ ସେବା ଯୋଗାଉଛି। ଷ୍ଟାର ଏୟାର ସେବା ବନ୍ଦ ହେବା ପରେ ଝାରସୁଗୁଡ଼ା-ଭୁବନେଶ୍ୱର ସିଧା ଯୋଗାଯୋଗକୁ ନେଇ ଚିନ୍ତା ବଢ଼ିଛି।
ପଶ୍ଚିମ ଓଡ଼ିଶାବାସୀ ଏହି ସେବା ଶୀଘ୍ର ପୁନଃ ଆରମ୍ଭ ପାଇଁ ସରକାର ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ଅନ୍ୟପଟେ, ଅକ୍ଟୋବର ୨୪ ପର୍ଯ୍ୟନ୍ତ ସେବା ବନ୍ଦ ରହିବାରୁ ଯାତ୍ରୀମାନେ ଯାତ୍ରା ପୂର୍ବରୁ ବିମାନ ସୂଚୀ ଓ ବିକଳ୍ପ ଯାତାୟାତ ବ୍ୟବସ୍ଥା ଯାଞ୍ଚ କରିବା ଜରୁରୀ।