ଓଡିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗ ମାମଲାରେ ଘୁଞ୍ଚିଲା ଶୁଣାଣି । ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲେ ରାଜ୍ୟ ସରକାର । ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମସୟ ଧାର୍ଯ୍ୟ କରିଛନ୍ତି । ଡିଜିପି ଚୟନ ବେଳେ ଓଡିଶା ସରକାର ସୁପ୍ରିମକୋର୍ଟଙ୍କର ଗାଇଡଲାଇନ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ପିଆଇଏଲ ଦାୟର ହୋଇଛି । ଗତ ୧୩ ତାରିଖରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ରାଜ୍ୟରେ ଡିଜିପି ଚୟନ ପ୍ରକ୍ରିୟା ଉପରେ ବ୍ରେକ ଲଗାଇଥିଲେ । ବିଶେଷ କରି ପ୍ରକାଶ ସିଂହ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଡିଜିପି ଚୟନ ହେଉଛି କି ନାହିଁ ସେନେଇ ପ୍ରଶ୍ନ ଉଠିଛି ।
ସେପଟେ ବର୍ତ୍ତମାନ ନିୟମିତ ଡିଜିପି ନିଯୁକ୍ତି ନ ହେବା ଯାଏ ରାଜ୍ୟ ସରକାର ଆଇପିଏସ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଅନ୍ତରୀଣ ଡିଜିପି ଭାବେ ନିଯୁକ୍ତି ଦେଇଛନ୍ତି । ଆଇପିଏସ ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖରେ ଅବସର ନେଇଛନ୍ତି । ତେବେ ଯୋଗେଶ ବାହାଦୂର ଖୁରାନିଆଙ୍କ ପୂର୍ବରୁ ଅରୁଣ କୁମାର ଷଡ଼ଙ୍ଗୀ ୭ ମାସ ଧରି ଇନ-ଚାର୍ଜ୍ ଡିଜିପି ରହିଥିଲେ। ବରିଷ୍ଠତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ଡିଜି ଥିବା ୧୯୯୩ ବ୍ୟାଚର ଆଇପିଏସ ଅଫିସର ବିନୟତୋଷ ମିଶ୍ରଙ୍କୁ ସରକାର ଇନ ଚାର୍ଜ୍ ଡିଜିପି ଦାୟିତ୍ବ ଦେଇଛନ୍ତି ।