ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭେଦି ଅନଳା ବେଢ଼ା ଉପରକୁ ଚଢ଼ିଗଲେ ଜଣେ ଯୁବକ। ସୋମବାର ରାତିରେ ଘଟିଥିବା ଏହି ଘଟଣା ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ତେବେ ଯୁବକଜଣକ ମାନସିକ ଭାବେ ଅସ୍ଥିର ଥିବା ପୁରୀ ଏସ୍ପି ପ୍ରତୀକ ସିଂହ ସ୍ପଷ୍ଟ କରିଛନ୍ତି।
ସୂଚନା ଅନୁଯାୟୀ, ଛତିଶଗଡ଼ର କୁଟେଲା ଗାଁର ୨୯ ବର୍ଷୀୟ ମାଧବ ଗୋପୀନାଥ ନାୟକ ସୋମବାର ରାତି ପ୍ରାୟ ୯ଟା ସମୟରେ ଶ୍ରୀମନ୍ଦିରର ଅନଳା ବେଢ଼ା ଉପରକୁ ଚଢ଼ିଯାଇଥିଲେ। ସୁରକ୍ଷା ବଳୟ ଭେଦି ସେ ମନ୍ଦିର ଗଠନର ଉପର ଅଂଶରେ ପହଞ୍ଚିଯିବା ପରେ ପୋଲିସ ଓ ସେବାୟତମାନେ ତତ୍ପର ହୋଇଥିଲେ।
ଦୀର୍ଘ ପ୍ରୟାସ ପରେ ପୋଲିସ ଓ ସେବାୟତମାନେ ଯୁବକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆଣିଥିଲେ। ପରେ ତାଙ୍କୁ ପୁରୀ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରୀ ଯାଞ୍ଚରେ ତାଙ୍କ ମାନସିକ ସ୍ଥିତି ସ୍ୱାଭାବିକ ନଥିବା ଜଣାପଡ଼ିଥିବା ବେଳେ ପରିବାର ପକ୍ଷରୁ ମଧ୍ୟ ଏନେଇ ମେଡିକାଲ ରିପୋର୍ଟ ଦାଖଲ କରାଯାଇଛି।
ପୁରୀ ଏସ୍ପି ପ୍ରତୀକ ସିଂହ କହିଛନ୍ତି ଯେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି। ତେବେ ଯୁବକଙ୍କ ମାନସିକ ଅସ୍ଥିରତା ଯୋଗୁଁ ଏଭଳି ଘଟଣା ଘଟିଥିବା ଡାକ୍ତରୀ ରିପୋର୍ଟ ଓ ପରିବାରର ରେକର୍ଡରୁ ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ମଧ୍ୟ ଯୁବକଜଣକ ଥରେ ମନ୍ଦିର ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପୋଲିସ ତାଙ୍କୁ ଅଟକାଇଥିଲା।
ଏବେ ଯୁବକଙ୍କୁ ପୋଲିସ ହେପାଜତରେ ରଖି ପଚରାଉଚରା କରାଯାଉଛି। ସେ କିପରି ସୁରକ୍ଷା ବଳୟ ଭେଦି ମନ୍ଦିର ଉପରକୁ ଚଢ଼ିଲେ ଏବଂ କେଉଁ ପ୍ରବେଶ ପଥ ଦେଇ ସେ ଭିତରକୁ ଆସିଥିଲେ, ସେନେଇ ତଦନ୍ତ ଚାଲିଛି।
ଏହି ଘଟଣା ପରେ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଶ୍ରୀମନ୍ଦିର ଭଳି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନରେ ଏଭଳି ଘଟଣାକୁ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତି ଓ ଅଧିକ କଡ଼ା ନଜରଦାରୀର ଆବଶ୍ୟକତା ରହିଥିବା ଭକ୍ତମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଏକ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ଉପରକୁ ଚଢ଼ିବା ଭଳି ଘଟଣା ଏହାକୁ ମିଶାଇ ତୃତୀୟ ଥର ଘଟିଛି। ୨୦୨୫ରେ ଭଦ୍ରକ ଓ ଉତ୍ତରପ୍ରଦେଶର ଦୁଇ ଜଣ ବ୍ୟକ୍ତି ମଧ୍ୟ ଶ୍ରୀମନ୍ଦିରର ଗଠନ ଉପରକୁ ଚଢ଼ିଥିଲେ। ଫଳରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।