ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଦିନକୁ ଦିନ ବୃଦ୍ଧି ପାଉଥିବା ଟ୍ରାଫିକ୍ ଜାମ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ଟ୍ୱିନ୍ ସିଟିର ଟ୍ରାଫିକ୍ ଡିକଞ୍ଜେସନ୍ ପ୍ଲାନ୍ (Traffic Decongestion Plan) ଏବଂ ସହରର ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
କଟକରୁ ଭୁବନେଶ୍ୱର ଦେଇ ପୁରୀ ଯାଉଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଯେପରି ବିନା କୌଣସି ଜାମ୍ରେ ସହଜରେ ଯାଇପାରିବେ, ସେଥିପାଇଁ ଏକ ବିକଳ୍ପ ୮-ଲେନ୍ ରାସ୍ତା ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯାଇଛି। ଟ୍ୱିନ୍ ସିଟିର ଯେଉଁ ସବୁ ପ୍ରମୁଖ ରାସ୍ତା ଓ ଟ୍ରାଫିକ୍ ଜଙ୍କସନ୍ଗୁଡ଼ିକ ଖରାପ ଅବସ୍ଥାରେ ଅଛି, ସେଗୁଡ଼ିକୁ ତୁରନ୍ତ ମରାମତି କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସ୍ମାର୍ଟ ଟ୍ରାଫିକ୍ ସିଗନାଲ୍, ସିସିଟିଭି ଏବଂ ବେଆଇନ୍ ପାର୍କିଂ ଉଚ୍ଛେଦ ଭଳି ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। ନଗରବାସୀଙ୍କୁ ସୁରକ୍ଷିତ ଯାତାୟାତ ସୁବିଧା ଦେବା ପାଇଁ ପୋଲିସ କମିଶନରେଟ୍, ନଗର ଉନ୍ନୟନ ଓ ପୂର୍ତ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର, ପୂର୍ତ୍ତ ସଚିବ, ପୋଲିସ୍ କମିଶନର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Also Read: ବିଦେଶରେ ପାଠ ପଢ଼ିବାକୁ ସରକାର ଦେବ ଟଙ୍କା; SC-ST ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ଲକ୍ଷ ଯାଏଁ ସହାୟତା, ଆଜିଠୁ ଆରମ୍ଭ ଆବେଦନ