ଚେନ୍ନାଇ: ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ତାମିଲନାଡୁର ଥଲାପତି ବିଜୟ ସରକାର। ଏବେ ତୃତୀୟ ସନ୍ତାନ ଜନ୍ମ ଉପରେ ମଧ୍ୟ ମହିଳା କର୍ମଚାରୀମାନଙ୍କୁ ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ବା ୩୬୫ ଦିନର ମାତୃତ୍ୱ କାଳୀନ ଛୁଟି ପ୍ରଦାନ କରାଯିବ। ପୂର୍ବରୁ ତୃତୀୟ ସନ୍ତାନ ପାଇଁ ମାତ୍ର ୧୨ ସପ୍ତାହର ଛୁଟି ମିଳୁଥିବା ବେଳେ, ଏବେ ଏହାକୁ ବୃଦ୍ଧି କରାଯାଇ ପ୍ରଥମ ଦୁଇଟି ସନ୍ତାନ ଭଳି ସମାନ ସୁବିଧା ଯୋଗାଇ ଦିଆଯାଇଛି।
ତାମିଲନାଡୁ ବିଧାନସଭାରେ ବିଭାଗୀୟ ଅନୁଦାନ ଦାବି ଆଲୋଚନା ସମୟରେ ରାଜ୍ୟ ମାନବ ସମ୍ବଳ ପ୍ରବନ୍ଧନ ମନ୍ତ୍ରୀ ଡି. ଶରତକୁମାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁ ସରକାର ସଦାସର୍ବଦା ମହିଳା ସଶକ୍ତୀକରଣ ଏବଂ ସାମାଜିକ କଲ୍ୟାଣକୁ ପ୍ରାଥମିକତା ଦେଇଆସିଛନ୍ତି। ତେଣୁ ମହିଳା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ଶିଶୁର ଯତ୍ନକୁ ଦୃଷ୍ଟିରେ ରଖି ତୃତୀୟ ସନ୍ତାନ ପାଇଁ ମିଳୁଥିବା ୧୨ ସପ୍ତାହର ଛୁଟିକୁ ୩୬୫ ଦିନକୁ ବୃଦ୍ଧି କରାଯାଇଛି।
କିପରି ଥିଲା ପୂର୍ବର ନିୟମ ?
ପୂର୍ବରୁ ରହିଥିବା ନିୟମ ଅନୁଯାୟୀ, ଦୁଇରୁ କମ୍ ଜୀବିତ ସନ୍ତାନ ଥିବା ମହିଳା କର୍ମଚାରୀମାନଙ୍କୁ ୩୬୫ ଦିନର ପୂର୍ଣ୍ଣ ମାତୃତ୍ୱ ଛୁଟି ମିଳୁଥିଲା। ମାତ୍ର ଦୁଇଟି ବା ତା’ଠାରୁ ଅଧିକ ସନ୍ତାନ ଥିବା କ୍ଷେତ୍ରରେ ମାତ୍ର ୧୨ ସପ୍ତାହ (୮୪ ଦିନ) ର ଦରମା ସହିତ ଛୁଟି ମିଳୁଥିଲା। ୨୦୧୧ରେ ଆଇଏଡିଏମକେ ସରକାର ଏହି ଛୁଟି ସୀମାକୁ ୯୦ ଦିନରୁ ୬ ମାସକୁ ବୃଦ୍ଧି କରିଥିଲେ। ୨୦୧୬ରେ ଏହାକୁ ୯ ମାସକୁ ବୃଦ୍ଧି କରାଯାଇଥିଲା।
୨୦୨୧ରେ ଡିଏମକେ (DMK) ସରକାର ପ୍ରଥମ ଦୁଇଟି ସନ୍ତାନ ପାଇଁ ମାତୃତ୍ୱ ଛୁଟିକୁ ୧ ବର୍ଷ (୩୬୫ ଦିନ) କୁ ବୃଦ୍ଧି କରିଥିଲେ। ଏବେ ତୃତୀୟ ସନ୍ତାନ ପାଇଁ ମଧ୍ୟ ଏହି ସୁବିଧାକୁ ସମ୍ପୂର୍ଣ୍ଣ ୧ ବର୍ଷ କରିଦିଆଯାଇଛି। ସରକାରଙ୍କ ଏହି ବଡ଼ ଘୋଷଣା ସହିତ ଗୃହରେ ଅନ୍ୟ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଟିଭିକେ (TVK) ଦଳର ପ୍ରଥମ ଥରର ବିଧାୟିକା ଆର. ପଲ୍ଲବୀ ନିଜର ନବଜାତ ଶିଶୁକୁ ଧରି ବିଧାନସଭା ପରିସରକୁ ଆସିଥିଲେ।