ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି (AAP) ର ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ଶାଖା (ACB)। ଦିଲ୍ଲୀ ଜଳ ବୋର୍ଡ (DJB) ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଟେଣ୍ଡର ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ଅଭିଯୋଗରେ ପୂର୍ବତନ ମନ୍ତ୍ରୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି।
ଏହି କାର୍ଯ୍ୟାନୁଷ୍ଠାନରେ ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ (IAS) ଉଦିତ ପ୍ରକାଶ ରାୟ, ପୂର୍ବତନ କଣ୍ଟ୍ରାକ୍ଚୁଆଲ୍ କନ୍ସଲଟାଣ୍ଟ ଅଙ୍କିତ ଶ୍ରୀବାସ୍ତବ, M/s AN ଏଣ୍ଟରପ୍ରାଇଜେସ୍ର ସତ୍ତ୍ୱାଧିକାରୀ ନାଗେନ୍ଦ୍ର ଯାଦବ, M/s ୟୁରୋଟେକ୍ ଏନଭାୟରନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ମାଲିକ ରାଜା କୁମାର କୁର୍ରା ଏବଂ M/s ସୃଜନହାର୍ର ପ୍ରୋପ୍ରାଇଟର ପଙ୍କଜ ବର୍ମାଙ୍କୁ ଗିରଫ କରାଯାଇଛି। ୨୦୨୪ ମସିହା ମେ' ୧୧ ତାରିଖରେ ନିର୍ଦ୍ଦିଷ୍ଟ ଆଇନ ଅଧୀନରେ ରୁଜୁ ହୋଇଥିବା ମାମଲାରେ ଏହି ଗିରଫଦାରୀ ହୋଇଛି।
କ’ଣ ଥିଲା ପୂରା ଦୁର୍ନୀତି ?
ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଦିଲ୍ଲୀ ଜଳ ବୋର୍ଡର ଏସଟିପି (STP) ଆଧୁନିକୀକରଣ ଟେଣ୍ଡରରେ ବ୍ୟାପକ ଅନିୟମିତତା, ସର୍ତ୍ତାବଳୀରେ ହେରଫେର ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ନିର୍ଦ୍ଦିଷ୍ଟ କମ୍ପାନୀ M/s ୟୁରୋଟେକ୍ ଏନଭାୟରନ୍ମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍କୁ ଅନୁକମ୍ପା ଦେବା ପାଇଁ ଟେଣ୍ଡର ନିୟମରେ କୋହଳ କରାଯାଇଥିଲା। ପ୍ରତିଯୋଗିତାକୁ ଏଡ଼ାଇବା ପାଇଁ ସର୍ତ୍ତାବଳୀକୁ କଡ଼ା କରାଯିବା ସହ ଜଳ ବିଶୋଧନର ପ୍ରମୁଖ ମାନଦଣ୍ଡଗୁଡ଼ିକୁ ହଟାଇ ଦିଆଯାଇଥିଲା।
କୋଟି କୋଟି ଟଙ୍କାର କମିଶନ୍ ଏବଂ ଆର୍ଥିକ ହେରଫେର
ଅଭିଯୋଗ ହୋଇଛି ଯେ M/s ସୃଜନହାର୍ ଏବଂ M/s AN ଏଣ୍ଟରପ୍ରାଇଜେସ୍ ଜରିଆରେ କମିଶନ୍ ଓ ଲାଞ୍ଚ ଟଙ୍କାର କାରବାର ହୋଇଥିଲା। ୟୁରୋଟେକ୍ ସହ ଜଡ଼ିତ ସଂସ୍ଥାରୁ ନାଗେନ୍ଦ୍ର ଯାଦବଙ୍କ ଫାର୍ମକୁ ମୋଟା ଅଙ୍କର ଟଙ୍କା ଆସିଥିଲା। ପୂର୍ବତନ ସିଇଓ ଉଦିତ ପ୍ରକାଶ ରାୟ ଓ ତାଙ୍କ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ AN ଏଣ୍ଟରପ୍ରାଇଜେସ୍ ଜରିଆରେ ପ୍ରାୟ ୧.୫୨ କୋଟି ଟଙ୍କାର ଲାଞ୍ଚ ପଠାଯାଇଥିଲା, ଯେଉଁଥିରେ ସମ୍ପତ୍ତି କିଣାଯାଇଥିବା ଅଭିଯୋଗ ହୋଇଛି।