ନୂଆଦିଲ୍ଲୀ: ୟୁଜିସି-ନେଟ୍ ୨୦୨୬ ଜୁନ୍ ପରୀକ୍ଷାରେ ସାମ୍ନାକୁ ଆସିଥିବା ବିଭିନ୍ନ ଅନିୟମିତତା ଓ ବିବାଦ ପରେ କେନ୍ଦ୍ରୀୟ ଶିକ୍ଷା ବିଭାଗ ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)ରେ ବ୍ୟାପକ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୋମବାର ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଚ୍ଚଶିକ୍ଷା ବିଭାଗର ସଚିବ, NTA ର ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରି ପରୀକ୍ଷା ବ୍ୟବସ୍ଥାରେ ହେଉଥିବା ପରିବର୍ତ୍ତନଗୁଡ଼ିକର ଅନୁଧ୍ୟାନ କରିଛନ୍ତି।
ବିବାଦରେ ଘେରି ରହିଥିବା NTAରୁ ବର୍ତ୍ତମାନ ସୁଦ୍ଧା ମୋଟ ୫୦ ଜଣ ଅଧିକାରୀଙ୍କୁ ବାହାର କରାଯାଇଥିବା ଜଣାପଡ଼ିଛି। ଗତ ଜୁଲାଇ ୨୪ ତାରିଖରେ ଏଜେନ୍ସିର ୪୭ ଜଣ ଅଧିକାରୀଙ୍କୁ ହଟାଯାଇଥିବା ବੇଳେ, ଆଜି ଆଉ ୩ ଜଣ ଅଧିକାରୀଙ୍କୁ ମଧ୍ୟ ବିଦା କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଏଜେନ୍ସିର କାର୍ଯ୍ୟଦକ୍ଷତାକୁ ସ୍ୱଚ୍ଛ ରଖିବା ପାଇଁ ଗ୍ରହଣ କରାଯାଇଛି।
୧୦ ଜଣ ନୂତନ ନିଯୁକ୍ତି
ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, NTA ରୁ କର୍ମଚାରୀଙ୍କ ଛଟେଇ ସହିତ ଏଜେନ୍ସିରେ କାର୍ଯ୍ୟଦକ୍ଷତା ଓ ପାରଦର୍ଶୀତା ବୃଦ୍ଧି ପାଇଁ ୧୦ ଜଣ ନୂତନ ବୃତ୍ତିଗତଙ୍କୁ ପ୍ରମୁଖ ନେତୃତ୍ୱ ପଦବୀରେ ନିଯୁକ୍ତି ଦିଆଯାଉଛି। ଏହି ପଦଗୁଡ଼ିକ ମଧ୍ୟରେ ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ, ମୁଖ୍ୟ ଆର୍ଥିକ ଅଧିକାରୀ, ମୁଖ୍ୟ ସୂଚନା ସୁରକ୍ଷା ଅଧିକାରୀ, ଜେନେରାଲ୍ ମ୍ୟାନେଜର-ଟେଷ୍ଟ ସିକ୍ୟୁରିଟି, ଜେନେରାଲ୍ ମ୍ୟାନେଜର- R&D ଏବଂ ସାଇକୋମେଟ୍ରିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ସାମିଲ ରହିଛି।
ବେସରକାରୀ କ୍ଷେତ୍ରର ବିଶେଷଜ୍ଞଙ୍କୁ ମିଳିବ ଦାୟିତ୍ୱ
NTA ବର୍ତ୍ତମାନ ସାଇବର ସୁରକ୍ଷା, ସାଇକୋମେଟ୍ରିକ୍ସ, ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା ସହ ଜଡ଼ିତ ଅନ୍ୟାନ୍ୟ ଜଟିଳ କ୍ଷେତ୍ରରେ ବେସରକାରୀ କ୍ଷେତ୍ରର ଡୋମେନ୍ ବିଶେଷଜ୍ଞମାନଙ୍କୁ ମଧ୍ୟ ସାମିଲ କରୁଛି। ପରୀକ୍ଷା ପ୍ରକ୍ରିୟାକୁ ଅଧିକ ଦୃଢ଼, ସ୍ୱଚ୍ଛ ଓ ସୁରକ୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।