ଜୟପୁର: ରାଜସ୍ଥାନର ସରକାରୀ ସ୍କୁଲଗୁଡ଼ିକର ବିପର୍ଯ୍ୟସ୍ତ ଭିତ୍ତିଭୂମି ଏବଂ ଶିକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ ସ୍କୁଲ ପରିସରରେ ବିନା ଅନୁମତିରେ କୌଣସି ବାହ୍ୟ ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ କିମ୍ବା ଫଟୋ ଓ ଭିଡିଓଗ୍ରାଫି କରିପାରିବେ ନାହିଁ। ସରକାରଙ୍କ ଏହି ନୂଆ ନିୟମ ଏବେ ରାଜ୍ୟରେ ଏକ ନୂଆ ବିତର୍କକୁ ଜନ୍ମ ଦେଇଛି।
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ସ୍କୁଲ ପରିସରରେ ପ୍ରବେଶ କରିବାକୁ ହେଲେ ପ୍ରଧାନଶିକ୍ଷକଙ୍କ ପୂର୍ବ ଅନୁମତି ବାଧ୍ୟତାମୂଳକ। କେବଳ ସେତିକି ନୁହେଁ, ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା ଶିକ୍ଷା ବ୍ୟବସ୍ଥାର ଫଟୋ ଓ ଭିଡିଓ ଉତ୍ତୋଳନ କରିବା ଏବଂ ଇଣ୍ଟରଭ୍ୟୁ ନେବା ପାଇଁ ପ୍ରଧାନଶିକ୍ଷକଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ଏହି ନିୟମକୁ ଅମାନ୍ୟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରାଯାଇଛି।
ସମାଲୋଚନାରେ ସରକାର
ବିଶେଷଜ୍ଞ ଏବଂ ସାମାଜିକ କର୍ମୀଙ୍କ ମତରେ, ଏହି ପଦକ୍ଷେପ ସ୍କୁଲର ସୁରକ୍ଷା ଅପେକ୍ଷା ସେଠାରେ ଥିବା ତ୍ରୁଟିବିଚ୍ୟୁତିକୁ ଲୁଚାଇବା ପାଇଁ ଏକ ପ୍ରୟାସ। ସିଜେପି ପକ୍ଷରୁ ଚାଲିଥିବା 'ସ୍କୁଲ ଠିକ୍ କର' ଅଭିଯାନ ସମୟରେ ଏଭଳି ଆଦେଶ ଆସିବା ସରକାରଙ୍କ ଉଦ୍ଦେଶ୍ୟକୁ ସନ୍ଦେହରେ ପକାଇଛି। ଆଲୋଚକମାନେ ପ୍ରଶ୍ନ କରିଛନ୍ତି, "ଯଦି ସ୍କୁଲ ବ୍ୟବସ୍ଥା ଭଲ ଅଛି, ତେବେ ତାହାକୁ କ୍ୟାମେରାରୁ ଲୁଚାଇବାର ଆବଶ୍ୟକତା କାହିଁକି? ସ୍କୁଲର ଅବସ୍ଥା ସୁଧାରିବା ପରିବର୍ତ୍ତେ ତାହାକୁ ସାର୍ବଜନୀନ ନ କରିବାକୁ ଚାପ ପ୍ରୟୋଗ କରାଯାଉଛି।"
ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସ୍କୁଲଗୁଡ଼ିକର ଅବ୍ୟବସ୍ଥା ଦୂର କରିବା ପାଇଁ ସରକାର ସକ୍ରିୟ ହେବା ଆବଶ୍ୟକ, ନା କି ଅବସ୍ଥା ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନର ଧମକ ଦେବା, ଏଭଳି ଯୁକ୍ତି ଏବେ ରାଜ୍ୟରେ ଜୋର ଧରିଛି।