ବଲାଙ୍ଗୀରର ବହୁଚର୍ଚ୍ଚିତ ବ୍ୟବସାୟୀ ଅପହରଣ ମାମଲାରେ ଆସିଛି ବଡ଼ ଟ୍ୱିଷ୍ଟ। ଅପହରଣ ଘଟଣାରେ ଜଣେ ଲେଡି ପୋଲିସ ଏସଆଇ ଓ ଜଣେ ସାମ୍ବାଦିକଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ସାମ୍ନାକୁ ଆସିବା ପରେ ଦୁହିଁଙ୍କୁ ଗିରଫ କରିଛି ବଲାଙ୍ଗୀର ପୋଲିସ। ଗିରଫଦାରୀ ନେଇ ବଲାଙ୍ଗୀର SDPO ସୂଚନା ଦେଇଛନ୍ତି।
ଗିରଫ ଲେଡି ଏସଆଇଙ୍କ ନାଁ ସ୍ନେହମଞ୍ଜରୀ ସାହୁ ବୋଲି ଜଣାପଡ଼ିଛି। ସେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁଙ୍କ ଭଉଣୀ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅପହରଣ ଘଟଣାରେ ତାଙ୍କ ଭୂମିକା ନେଇ ତଦନ୍ତ ପରେ ପୋଲିସ ଏହି ପଦକ୍ଷେପ ନେଇଛି।
ପୂର୍ବରୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ସାହୁ ଓ ତାଙ୍କ ସହଯୋଗୀ ସଂଜିତ ବେହେରାଙ୍କୁ ପୋଲିସ ଗିରଫ କରିଥିଲା। ଗତ ଶୁକ୍ରବାର ଜାତୀୟ ରାଜପଥର ରଣ୍ଡା ଛକ ନିକଟରୁ ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରାଯାଇଥିଲା।
ଘଟଣାର ଦିନକ ପରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଅପହୃତ ବ୍ୟବସାୟୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପୋଲିସ। ହନିଟ୍ରାପ୍ ଭଳି ଯୋଜନା କରି ଟଙ୍କା ପାଇଁ ଅପହରଣ କରାଯାଇଥିବା ନେଇ ପୋଲିସ ତଦନ୍ତ କରୁଛି।
ତେବେ ଅପହରଣକାରୀଙ୍କ ହାତକୁ ଯାଇଥିବା କୁହାଯାଉଥିବା ୨ କୋଟି ୭୦ ଲକ୍ଷ ଟଙ୍କା କେଉଁଠୁ ଆସିଲା, ଏହା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି। ଲେଡି ଏସଆଇ ଓ ସାମ୍ବାଦିକଙ୍କ ଗିରଫ ପରେ ମାମଲାର ତଦନ୍ତ ଆହୁରି ରୋଚକ ମୋଡ଼ ନେଇଛି।