ଭୁବନେଶ୍ୱର: ଗୋଟିଏ ପଟେ ଆକାଶରେ ମେଘ ଗର୍ଜୁଥିବାବେଳେ ଏପଟେ ରାଜରାସ୍ତାରେ ଗର୍ଜିଛନ୍ତି ଶିକ୍ଷକ । ବର୍ଷାରେ ହାତରେ ଛତା ଧରି ହଜାର ହଜାର ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୪ ଦଫା ଦାବି ନେଇ ଭୁବନେଶ୍ୱର ଗାନ୍ଧୀମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଡାକରାରେ ୨୦ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ବିଶାଳ ସମାବେଶ କରିଛନ୍ତି । ସେପଟେ ଅଲ୍ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ ମଧ୍ୟ ତିନି ଦଫା ଦାବି ନେଇ ଲୋୟର ପିଏମଜିରେ ଗଣଧାରଣା ଦେଇଛନ୍ତି ।
ଶିକ୍ଷକ ସଂଘର ପ୍ରମୁଖ ଦାବି ଗୁଡ଼ିକ ହେଉଛି ହେଉଛି, ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରିବା, ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ସହିତ ପେନସନ୍, ଗ୍ରେଡ୍ ପେରେ ଥିବା ଅସଙ୍ଗତିକୁ ଦୂରୀକରଣ, ଏବଂ ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ପ୍ରଦାନ କରିଥିବା ରିପୋର୍ଟକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ଦାବି କରିଛନ୍ତି ।
ଅଲ୍ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ ମଧ୍ୟ ତିନି ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି । ବିଭିନ୍ନ ସରକାରୀ ଅନୁପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଖାଲି ପଡିଥିବା ପଦବୀରେ ନୂତନ ନିଯୁକ୍ତି ପାଇଁ ଦାବି ହୋଇଛି । ରାଜ୍ୟରେ ପ୍ରାଥମିକ, ମାଧ୍ୟମିକ ଓ ହାଇସ୍କୁଲରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡ଼ିଛି । ତେଣୁ ରାଜ୍ୟ ସରକାର ନିଜେ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ଦାବି କରାଯାଇଛି ।