ଭୁବନେଶ୍ୱର: ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଏହା ସହିତ ଆଜି ସଂକ୍ରାନ୍ତି । ଶ୍ରାବଣ ସୋମବାର ସହିତ ସଂକ୍ରାନ୍ତି ହୋଇଥିବାରୁ ଶିବ ମନ୍ଦିରରେ ନାହିଁ ନ ଥିବା ଭିଡ଼ । ‘ବୋଲ୍ ବମ୍ ହର ହର ବମ୍ ନାଦ’ରେ କମ୍ପି ଉଠୁଛି ଗଗନ ପବନ । ଭୁବନେଶ୍ୱରରେ ବାବା ଲିଙ୍ଗରାଜ, ପୁରୀରେ ଶ୍ରୀ ଶ୍ରୀ ଲୋକନାଥ ପୀଠ, କଟକ ଜିଲ୍ଲା ଆଠଗଡ଼ ଧବଳେଶ୍ୱର ଓ ଗୋରେଖନାଥ ଆଦି ପୀଠରେ ମାନସିକଧାରୀ କାଉଁଡ଼ିଆମାନେ ଜଳ ଲାଗି କରୁଛନ୍ତି ।
ପ୍ରବଳ ଭକ୍ତଙ୍କ ସମାଗମକୁ ଦେଖି ଲିଙ୍ଗରାଜ ପୀଠରେ ମନ୍ଦିର ପ୍ରଶାସନ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଉଁଡ଼ିଆମାନେ ନିର୍ଦ୍ଧାରିତ ବ୍ୟାରିକେଡ୍ ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଜଳାଭିଷେକ କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁମାନେ ପାଣି ନେଇ ଆସିଛନ୍ତି ।
ସେହିପରି ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଶ୍ରୀ ଲୋକନାଥଙ୍କ ପୀଠରେ ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ସେହିପରି ସଂକ୍ରାନ୍ତି ଥିବାରୁ ସ୍ଥାନୀୟ ଭକ୍ତଙ୍କ ସମାଗମ ମଧ୍ୟ ହୋଇଛି । ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସେପଟେ ବାବା ଧବଳେଶ୍ୱର ପୀଠରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ପୋଲ ଏପଟେ ପାର୍ଶ୍ୱରେ ବାହୁଙ୍ଗି ରଖି କାନ୍ଧରେ ପାଣି କଳସ ଧରି ଜଳ ଲାଗି କରିବାକୁ ଯାଉଛନ୍ତି ।