ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭ ପୋଲିସରେ କାର୍ଯ୍ୟରତ ଓଏପିଏଫ୍ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଖମାରସାହି ଭଡ଼ା ଘରୁ କନଷ୍ଟେବଳ ଶଙ୍କର ପ୍ରଧାନ (୩୪)ଙ୍କ ମୃତ ଦେହ ମିଳିଛି । ସେ ଗଜପତି ଜିଲ୍ଲାର ମୂଳ ବାସିନ୍ଦା ହୋଇଥିବାବେଳେ ଚାକିରୀ ପାଇଁ ଢେଙ୍କାନାଳରେ ରହୁଥିଲେ । ପୋଲିସ ମୃତ ଦେହକୁ ଜବତ କରିଛି ।
ପ୍ରାଥମିକ ସୂଚନା ଆଧାରରେ, ଗତକାଲି କୌଣସି କାରଣକୁ ନେଇ ଶଙ୍କର ଏବଂ ତାଙ୍କ ପତ୍ନୀ ରଞ୍ଜିତା ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଟିକେ ଶାନ୍ତ ହେବା ପରେ ସମସ୍ତେ ଶୋଇବାକୁ ଯାଇଥିଲେ । ଶଙ୍କର ଶୋଇବା କୋଠରୀକୁ ବାହାର ପଟୁ ବନ୍ଦ କରିଦେଇଥିଲେ । ଏହା ପରେ ରୋଷେଇ ଘରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ । ତାଙ୍କ ସ୍ତ୍ରୀ ପଡ଼ୋଶୀଙ୍କୁ ଚିତ୍କାର କରି ଡାକିଥିଲେ । ପଡ଼ୋଶୀ କବାଟ ଖୋଲି ଦେଖିବାରୁ ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ଶଙ୍କରଙ୍କୁ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ।
ଏନେଇ ପରିବାର ଲୋକେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ମୃତ ଦେହକୁ ଜବତ କରିଛି । ପୋଲିସ ଶବ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି । ଏ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଟାଉନ ଥାନା ଏସଆଇ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି।
ସେପଟେ ଦେଢ ବର୍ଷ ହେବ ଶଙ୍କର ଚାକିରିରୁ ନିଳମ୍ବିତ ହୋଇଥିଲେ ବୋଲି ସ୍ତ୍ରୀ ରଞ୍ଜିତା କହିଛନ୍ତି । ନିଲମ୍ବନ ପରେ ପରିବାର ଚଳାଇବାକୁ କିଛି ଲୋକଙ୍କ ଠାରୁ ଅନେକ ଟଙ୍କା ଧାର କରଜ କରିଥିଲେ । ନିଲମ୍ବିତ ଆଦେଶ ହଟାଇବାକୁ ବାରମ୍ବାର ଗୁହାରି କରିଥିଲେ । କିନ୍ତୁ ନିଲମ୍ବନ ଆଦେଶ ହଟି ନଥିଲା । ଏଥିପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଆଜି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ପୁଅକୁ ବାପାର ଚାକିରୀ ଦେବାକୁ ସ୍ତ୍ରୀ ରଞ୍ଜିତା ଦାବି କରିଛନ୍ତି ।