କଳାହାଣ୍ଡି : ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗ ହୋଇଛି । ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତାଙ୍କ ନିଜ ଗାଁ ଦାନାରୀଗୁଡ଼ାରେ ତାଙ୍କର ବିୟୋଗ ଘଟିଛି । ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ କଳାହାଣ୍ଡି ଜିଲ୍ଲା ସମେତ ବିଭିନ୍ନ ମହଲରେ ଶୋକ ଛାୟା ଖେଳି ଯାଇଛି ।
ଦିବଙ୍ଗତ ବିଧାୟକ ଶିବାଜୀ ମାଝୀ ୨୦୦୯ ମସିହାରେ ଲାଞ୍ଜିଗଡ଼ରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ପ୍ରଥମେ କଂଗ୍ରେସ ଦଳରୁ ବିଧାୟକ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ । ଗତ ବିଜେଡି ସରକାର ସମୟରେ ସେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଓ ହରିଜନ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ରାଜନୀତି ସହ ଜନସାଧାରଣଙ୍କ ସହ ତାଙ୍କର ସମ୍ପର୍କ ଓ ସାଧାରଣ ଲୋକଙ୍କ ପ୍ରତି ତାଙ୍କ ଆତ୍ମୀୟତା ପାଇଁ ସେ ପରିଚିତ ଥିଲେ ।
ସୂଚନା ଅନୁସାରେ, ଗତ କିଛିଦିନ ତଳେ ଶିବାଜୀ ମାଝୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଯାଇଥିଲା । ତେବେ ଶେଷରେ ଗତକାଲି ମଙ୍ଗଳବାର ରାତିରେ ନିଜ ଗାଁ ଦାନାରୀଗୁଡ଼ାରେ ତାଙ୍କର ଅକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗରେ କଳାହାଣ୍ଡି ଜିଲ୍ଲାର ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ଶିବାଜୀ ମାଝୀ ଜଣେ , ସ୍ନେହୀ ଓ ଦରଦି ବ୍ୟକ୍ତି ଭାବେ ପରିଚିତ ଥିଲେ । ତାଙ୍କ ବିୟୋଗରେ କଳାହାଣ୍ଡି ଜଣେ ଜନପ୍ରତିନିଧିଙ୍କୁ ହରାଇଛି। ତାଙ୍କ ଅକାଳ ବିୟୋଗରେ ପରିବାର, ସମର୍ଥକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ସ୍ବର୍ଗତ ବିଧାୟକଙ୍କ ଆତ୍ମାର ସତଗତି କାମନା କରି କହିଛନ୍ତି ଯେ ' ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଭାବରେ ଦୁଃଖିତ। ଦିବଙ୍ଗତ ଆତ୍ମାଙ୍କୁ ସଦଗତି ପ୍ରଦାନ କରିବା ସହ ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି ।