ଭୁବନେଶ୍ୱର: ଆଜି ତୃତୀୟ ଦିନରେ ପହଁଚିଛି ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ । ଗାନ୍ଧୀ ମାର୍ଗ ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଗାଡ଼ି ଚାଳକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଓଲା,ରାପିଡୋ,ଉବର ଓ ଓଡ଼ିଶା ଯାତ୍ରୀର ଗାଡ଼ି ଚାଳକମାନେ ରାସ୍ତା ଉପରେ ଅଟୋ, କାର୍ ଏବଂ ବାଇକ୍ ରଖି ପ୍ରତିବାଦ କରୁଛନ୍ତି । କିଛି ଆନ୍ଦୋଳନକାରୀ ଆତ୍ମହତ୍ୟାର ଧମକ ମଧ୍ୟ ଦେଉଛନ୍ତି ।
ମୋଟ 30ଟି ଦାବି ନେଇ ଅଲ୍ ଓଡ଼ିଶା ଅନଲାଇନ ମିଳିତ ଚାଳକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି । ପ୍ରମୁଖ ଦାବି ଦେଉଛି ଯେ ଦିନରେ କିମି ପିଛା ୧୨ ଟଙ୍କା ଓ ରାତିରେ କିମି ପିଛା ୧୫ ଟଙ୍କା ଅନଲାଇନ ଚାଳକ ସଂଘ ଦାବି କରିଛି । ଯେପର୍ଯ୍ୟନ୍ତ ସରକାର ଦାବି ପୂରଣ ନ କରିଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଯାତ୍ରୀ ନାନା ହଇରାଣ ହେଉଛନ୍ତି । ସାଧାରଣ ଯାତ୍ରୀମାନେ ହିନସ୍ତା ଅବସ୍ଥା ହେଉଛନ୍ତି । ବିଶେଷ କରି ବିମାନ ବନ୍ଦରରୁ ଆସୁଥିବା ଯାତ୍ରୀ ଓ ରେଳ ଯାତ୍ରୀମାନେ ଅଧିକ ହଇରାଣ ହେଉଛି । ବିମାନବନ୍ଦରରେ ଶତାଧିକ ଯାତ୍ରୀ ଅଟକି ରହିଛନ୍ତି । ଏହି ଅଚଳାବସ୍ଥା କେବଳ ଭୁବନେଶ୍ୱରରେ କଟକ ଓ ପୁରୀରେ ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଅନ୍ୟ ସାଧାରଣ ଅଟୋ ଏବଂ କାର୍ ଡ୍ରାଇଭର ଏହି ଆନ୍ଦୋଳନର ଫାଇଦା ଉଠାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ଆବଶ୍ୟକତାଠାରୁ ମାତ୍ରାଧିକ ମୂଲ୍ୟରେ ଯାତ୍ରୀଙ୍କୁ ନେବାକୁ ବାଧ୍ୟ କରୁଛନ୍ତି ।