ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକ ଆଜି ରଣକ୍ଷେତ୍ର ପାଲଟି ଯାଇଛି । ଅନଲାଇନ୍ ଅଟୋ ଓ ଡ୍ରାଇଭରମାନେ କରୁଥିବା ପ୍ରତିବାଦ ଓ ନାରାବାଜି ଶେଷରେ ଉଗ୍ରରୂପ ଧାରଣ କରିଛି । ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି । ଶେଷରେ ବାଧ୍ୟ ହୋଇ ପୋଲିସ ଲାଠି ଚାର୍ଜ କରିବା ସହିତ କିଛି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ।
ଆଜି ତୃତୀୟ ଦିନରେ ଅନଲାଇନ୍ ଅଟୋ ଏବଂ କ୍ୟାବ୍ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଥିଲା । ମାଷ୍ଟ୍ରରକ୍ୟାଣ୍ଟିନ ଠାରୁ ଆରମ୍ଭ କରି ଲୋୟର ପିଏମଜିରେ ଶହ ଶହ ସଂଖ୍ୟାରେ ଅନଲାଇନ୍ ଅଟୋ ଓ କାର୍ ରଖି ଗାଡ଼ି ଚାଳକମାନେ ଆନ୍ଦୋଳନ କରୁଥିଲେ । ଯେଉଁଥିରେ ଓଲା, ରାପିଡୋ, ଉବର ଓ ଓଡ଼ିଶା ଯାତ୍ରୀର ଗାଡ଼ି ଚାଳକମାନେ ସାମିଲ ଥିଲେ । ଦିନ ବଢ଼ିବା କ୍ଷଣି ଆନ୍ଦୋଳନକାରୀଙ୍କ ବିକ୍ଷୋଭ ସେତେ ତୀବ୍ର ହୋଇଥିଲା । ଫଳରେ ସାଧାରଣ ଜନତା ଗମନାଗମନରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାରି ମଧ୍ୟରେ ପୋଲିସର ଏକ ଟିମ୍ ଆନ୍ଦୋଳନକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ମାତ୍ର ଆନ୍ଦୋଳନକାରୀ ଶାନ୍ତିପ୍ରିୟ ଆନ୍ଦୋଳନରୁ ବାହାରି ହିଂସାତ୍ମକ ଆଚରଣ କରିଥିଲେ । ସୁରକ୍ଷାରେ ନିୟୋଜିତ ପୋଲିସ ଓ ରାସ୍ତାରେ ଯାଉଥିବା ଯାତ୍ରୀବାହୀ ‘ଆମ ବସ୍’କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ । ପୋଲିସକୁ ଉପରକୁ ଢେଲା ମାଡ଼ କରିଥିଲେ । ଆମ ବସକୁ ମଧ୍ୟ ଆକ୍ରମଣ କରିଥିଲେ । କିଏ ବସ୍ ଉପରକୁ ପଥର ମାଡ଼ କରିଥିଲେ ତ ଆଉ କିଏ ଚକାକୁ ପମ୍ପଚର୍ କରିଦେଇଥିଲେ । ପ୍ରାୟ 10ରୁ ଉର୍ଦ୍ଧ୍ୱ ଆମ ବସ୍ କ୍ଷତିଗ୍ରସ୍ତ ହୋଇଛି ।
ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ପୋଲିସ ଯଥାସମ୍ଭବ ଚେଷ୍ଟା କରିଥିଲା । ପୋଲିସ ଓ ଡ୍ରାଇଭରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ମାତ୍ର ଅମାନିଆ ଆନ୍ଦୋଳନକାରୀଙ୍କ ଉପଦ୍ରବ ଆହୁରି ବଢ଼ିବାରୁ ପୋଲିସ ନିୟନ୍ତ୍ରଣକୁ ଆଣିବାକୁ ଲାଠି ଚାର୍ଜ କରିବା ସହିତ ପାଣି ସ୍ପ୍ରେ କରିଥିଲା । ଶେଷରେ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ ।
ଭୁବନେଶ୍ୱର କମିଶନରେଟ୍ ଡେପୁଟି ପୋଲିସ କମିଶନର୍ ଜଗମୋହନ ମୀନା ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ଡିସିପି କହିଛନ୍ତି ଯେ ଡ୍ରାଇଭର ସଂଘର ଦାବି ସହିତ ସରକାରଙ୍କ କୌଣସି ନେଣଦେଣ ନାହିଁ । ସେମାନେ କାମ କରୁଥିବା ଘରୋଇ ସଂସ୍ଥାକୁ ତାଙ୍କର ଦାବି ଜଣାଇବା ଉଚିତ । ଏହା ସହିତ ମାତ୍ର ଗୋଟିଏ ଦିନ ପାଇଁ ଆନ୍ଦୋଳନ ପାଇଁ ଅନୁମତି ନେଇ ତିନି ଦିନ ହେଲା ବିକ୍ଷୋଭ କରୁଛନ୍ତି । ସେମାନଙ୍କ ଆନ୍ଦୋଳନର ସମୟ ସୀମା ସୋମବାର ଦିନ ହିଁ ଶେଷ ହୋଇଛି । ତଥାପି ସେମାନେ ଆନ୍ଦୋଳନ ଜାରି ରଖି ହିଂସା ଆଚରଣ କରିଛନ୍ତି । ଆଜିର ଘଟଣାରେ ପୋଲିସ କିଛି ଗାଡ଼ିକୁ ସିଜ୍ କରିଛି । ପ୍ରାୟ ୩୦ରୁ ୪୦ ଜଣଙ୍କୁ ଅଟକ ରଖାଯାଇଛି । ଯେଉଁମାନେ ସର୍ବସାଧାରଣ ସମ୍ପତ୍ତିକୁ କ୍ଷତି ପହଁଚାଇଛନ୍ତି ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ଗିରଫ କରାଯିବ ବୋଲି ଡିସିପି କଡ଼ା ଚେତାବନୀ ଦେଇଛନ୍ତି ।
ଅଲ୍ ଓଡ଼ିଶା ଅନଲାଇନ ମିଳିତ ଚାଳକ ସଂଘର ପ୍ରମୁଖ ଦାବି ହେଉଛି ଦାବି ଦେଉଛି ଯେ ଦିନରେ କିମି ପିଛା ୧୨ ଟଙ୍କା ଓ ରାତିରେ କିମି ପିଛା ୧୫ ଟଙ୍କା ଅନଲାଇନ ଚାଳକ ସଂଘ ଦାବି କରିଛି । ଯେପର୍ଯ୍ୟନ୍ତ ସରକାର ଦାବି ପୂରଣ ନ କରିଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ହଟିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।