ମୁମ୍ବାଇ: ଦୀର୍ଘ ଦିନର ବ୍ୟବଧାନ ଓ ପ୍ରତୀକ୍ଷାର ଅନ୍ତ ଘଟାଇ ପୁଣିଥରେ ବକ୍ସ ଅଫିସରେ ରାଜ୍ କରିବାକୁ ଆସୁଛନ୍ତି 'KGF' ଫେମ୍ କନ୍ନଡ଼ ସୁପରଷ୍ଟାର୍ ୟଶ୍। ତାଙ୍କର ବହୁପ୍ରତିକ୍ଷିତ ଆକ୍ସନ୍-ଥ୍ରୀଲର୍ 'ଟକ୍ସିକ୍: ଏ ଫେୟାରୀ ଟେଲ୍ ଫର୍ ଗ୍ରୋନ୍-ଅପ୍ସ' (Toxic: A Fairy Tale for Grown-Ups)ର ଦମଦାର୍ ଟ୍ରେଲର୍ ଆଜି ରିଲିଜ୍ ହୋଇଛି। ଟ୍ରେଲର୍ ସାମ୍ନାକୁ ଆସିବା ମାତ୍ରେ ହିଁ ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମାରେ ୟଶ୍ଙ୍କୁ ଏକ ଅତ୍ୟନ୍ତ ଡାର୍କ, ରଗଡ୍ ଏବଂ ଶକ୍ତିଶାଳୀ ଗ୍ୟାଙ୍ଗଷ୍ଟର୍ ଅବତାରରେ ଦେଖିବାକୁ ମିଳିଛି। ଚିତ୍ତାକର୍ଷକ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍, ହାଇ-ଭୋଲ୍ଟେଜ୍ ଆକ୍ସନ୍ ସିକ୍ୱେନ୍ସ ଏବଂ ଦମଦାର୍ ସଂଳାପ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି। ଟ୍ରେଲରରେ ୟଶ୍ଙ୍କର ଭିନ୍ନ ସ୍ୱାଦର ଦ୍ୱିତୀୟ ଭୂମିକା (ଡବଲ୍ ରୋଲ୍) ରହିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।
ଷ୍ଟାର୍ କାଷ୍ଟ
ଏହି ବହୁଭାଷୀ ବିଗ୍-ବଜେଟ୍ ପାନ-ଇଣ୍ଡିଆ ଚଳଚ୍ଚିତ୍ରରେ ୟଶ୍ଙ୍କ ସହ ବଲିଉଡ୍ ଓ ସାଉଥ୍ର ଏକାଧିକ ସୁପରଷ୍ଟାର୍ ଏକାଠି ନଜର ଆସୁଛନ୍ତି, 'ରକିଂ ଷ୍ଟାର୍' ୟଶଙ୍କ ସହ କିଆରା ଆଡଭାନୀ, ନୟନତାରା, ହୁମା କୁରୈଶୀ, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତ।
KVN ପ୍ରୋଡକ୍ସନ୍ସ ଓ ମୋନଷ୍ଟର ମାଇଣ୍ଡ କ୍ରିଏସନ୍ସର ମିଳିତ ବ୍ୟାନରରେ ନିର୍ମିତ ଏହି ମେଗା ଆକ୍ସନ୍ ଡ୍ରାମା ୨୬ ଅଗଷ୍ଟ ୨୦୨୬ରେ ବିଶ୍ୱବ୍ୟାପୀ ପ୍ରେକ୍ଷାଳୟରେ କନ୍ନଡ଼, ହିନ୍ଦୀ, ତାମିଲ, ତେଲୁଗୁ, ମଲାୟାଲମ୍ ଏବଂ ଇଂରାଜୀ ଭାଷାରେ ମୁକ୍ତିଲାଭ କରିବ। ପ୍ରଶଂସକମାନେ ଏବେ ସିନେମାହଲ୍ରେ ୟଶ୍ଙ୍କ ଏହି ନୂଆ ଆକ୍ସନ୍ ରୂପ ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି।