ନୂଆଦିଲ୍ଲୀ: ଭାରତରେ ଡିଜିଟାଲ ପେମେଣ୍ଟର ସବୁଠାରୁ ଲୋକପ୍ରିୟ ମାଧ୍ୟମ UPI କୁ ନେଇ ଚାଲିଥିବା ସମସ୍ତ ଅନିଶ୍ଚିତତା ଏବେ ଦୂର ହୋଇଛି । UPI ବ୍ୟବହାରକାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ସ୍ପଷ୍ଟୀକରଣ ଦେଇଛନ୍ତି । ସରକାର ସ୍ପଷ୍ଟ କରିଛନ୍ତି ଯେ, ସାଧାରଣ ଗ୍ରାହକଙ୍କ ପାଇଁ UPI ସେବା ପୂର୍ବପରି ସମ୍ପୂର୍ଣ୍ଣ ମାଗଣା ରହିବ ।
ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ସ୍ପଷ୍ଟୀକରଣରେ କୁହାଯାଇଛି ଯେ, UPI ମାଧ୍ୟମରେ କୌଣସି ପ୍ରକାରର ପେମେଣ୍ଟ କରୁଥିବା ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ (Transaction Charge) ଦେବାକୁ ପଡ଼ିବ ନାହିଁ । ବ୍ୟକ୍ତିଗତ (Person-to-Person) କାରବାର ସମ୍ପୂର୍ଣ୍ଣ ଭାବେ ମାଗଣା ରହିବ । ତେଣୁ ସାଧାରଣ ୟୁଜର୍ସଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ।
ସଂସଦରେ 'Taxation and Other Laws (Amendment) Bill, 2026' ପାରିତ ହେବା ପରେ UPI ଉପରେ ଚାର୍ଜ ଲାଗିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ଉପରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯଦି ଭବିଷ୍ୟତରେ କୌଣସି MDR ଚାର୍ଜ ଲାଗୁ କରାଯାଏ, ତେବେ ତାହା କେବଳ ବଡ଼ ବ୍ୟବସାୟୀଙ୍କ କ୍ଷେତ୍ରରେ କିଛି ନିର୍ଦ୍ଦିଷ୍ଟ କାରବାର ଉପରେ ଲାଗୁ ହେବ ।
ଏହି ଚାର୍ଜ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ ଏବଂ ଛୋଟ ଦୋକାନୀମାନଙ୍କୁ ମଧ୍ୟ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ଏହାଛଡ଼ା ଏହି ଶୁଳ୍କ ଅତ୍ୟନ୍ତ ନାମମାତ୍ର ହେବ, ଯାହା ବର୍ତ୍ତମାନର କ୍ରେଡିଟ୍ ବା ଡେବିଟ୍ କାର୍ଡ MDR ତୁଳନାରେ ବହୁତ କମ୍ ରହିବ ।
ସରକାରଙ୍କ ମତରେ, ଏହି ପଦକ୍ଷେପ UPI ର ଦୀର୍ଘକାଳୀନ ସ୍ଥିରତା, ଟେକ୍ନୋଲୋଜିର ବିକାଶ ଏବଂ ସାଇବର ସୁରକ୍ଷାକୁ ମଜବୁତ କରିବା ପାଇଁ ଏକ ସହାୟକ ବ୍ୟବସ୍ଥା । ଦିନକୁ ଦିନ ବଢ଼ୁଥିବା ଡିଜିଟାଲ କାରବାର ସହ ତାଳ ଦେଇ ଭିତ୍ତିଭୂମିକୁ ଅପଡେଟ୍ ରଖିବା ପାଇଁ ଏହା ଏକ ପଦକ୍ଷେପ ମାତ୍ର ।
ସୂଚନାଯୋଗ୍ୟ ଯେ, PhonePe ସମେତ ଅନ୍ୟ ପ୍ରମୁଖ ଡିଜିଟାଲ ପେମେଣ୍ଟ କମ୍ପାନୀଗୁଡ଼ିକ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଗ୍ରାହକଙ୍କ ପାଇଁ UPI ସେବା ସର୍ବଦା ମାଗଣା ରହିବ । ତେଣୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବକୁ ବିଶ୍ୱାସ ନକରି ନିଶ୍ଚିନ୍ତ ମନରେ ଡିଜିଟାଲ ପେମେଣ୍ଟ ଜାରି ରଖନ୍ତୁ ।