କେନ୍ଦ୍ରାପଡ଼ା : ସମସ୍ୟାର ସମାଧାନ ନହେବାରୁ ପ୍ରଶାସନ ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ ।କେନ୍ଦ୍ରାପଡ଼ା ରାଜନଗରରୁ ଆସିଛି ଏହି ଅଭାବନୀୟ ଖବର। ଆଜି ରାଜନଗର ବ୍ଲକର ଦୁଇ ଜଣ ଚାଷୀ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ । ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲାନି, ଶେଷରେ ନ୍ୟାୟ ନମିଳିବାରୁ ଚାଷୀ ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ସେଠାରେ ଉପସ୍ଥିତ ଥିବା ପୋଲିସ ଓ ଅନ୍ୟ ଲୋକମାନେ ଚାଷୀଙ୍କୁ କୌଣସି ମତେ ଅଟକାଇଥିଲେ । ଦୁଇ ଚାଷୀ ହେଉଛନ୍ତି ତାଳଚୁଆ ଓ ଢୋଲମରା ଗାଁର ଗଣେଶ ଚନ୍ଦ୍ର ଓ ରାମକୃଷ୍ଣ ମଣ୍ଡଳ ।
ଚାଷୀଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଚାଷଜମି ପାଖରେ ଗଢ଼ି ଉଠିଛି ବେଆଇନ ଚିଙ୍ଗୁଡ଼ି ଘେରି। ଏହି ଚିଙ୍ଗୁଡ଼ି ଘେରିର ଲୁଣାପାଣି ମାଡ଼ିଯିବା ଫଳରେ ସ୍ଥାନୀୟ ଚାଷୀଙ୍କ ଏକର ଏକର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଉଛି। ରୋଜଗାର ହରାଇ ଚାଷୀ ଏବେ ଦାଣ୍ଡର ଭିକାରୀ ସାଜିଛନ୍ତି।ଏହି ସମସ୍ୟା ନେଇ ପୀଡ଼ିତ ଚାଷୀମାନେ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଇଥିଲେ। ପ୍ରଶାସନ ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳିଥିଲା, କିନ୍ତୁ ବେଆଇନ ଘେରି ଉଚ୍ଛେଦ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଶେଷରେ ପ୍ରଶାସନର ଉଦାସୀନତା ପ୍ରତିବାଦରେ ଚାଷୀଦ୍ୱୟ ଏଭଳି ଚରମ ପଦକ୍ଷେପ ନେଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।