ରାଞ୍ଚି: ପରୀକ୍ଷା ଅନିୟମିତତାକୁ ନେଇ ଆନ୍ଦୋଳନ ଜାରି ରଖିଥିବା ଛାତ୍ରଛାତ୍ରୀମାନେ ୧୭ ଦିନରେ ଝାଡ଼ଖଣ୍ଡ ବିଧାନସଭା ଘେରାଉ କରିଛନ୍ତି । ସକାଳୁ ବିକ୍ଷୋଭକାରୀ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି । ତେବେ ବିଧାନସଭା ମୁଖ୍ୟ ଫାଟକ ଅଭିମୁଖେ ଅଗ୍ରସର ହେଉଥିବାବେଳେ ଶେଷ ବ୍ୟାରିକେଡରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଛି ।
ଆନ୍ଦୋଳନକାରୀ ସକାଳୁ ବିଧାନସଭା ଘେରାଉ ଡାକରା ଦେଇ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଥିଲେ । ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ୭ଟି ତାରବାଡ଼ ବ୍ୟାରିକେଡ୍ କରାଯାଇଥିଲା । ଆନ୍ଦୋଳନକାରୀମାନେ ମଧ୍ୟାହ୍ନ ୧୨ଟା ସୁଦ୍ଧା ଗୋଟିଏ ପରେ ଗୋଟିଏ ବ୍ୟାରକେଡ୍ ଅତିକ୍ରମ କରି ଶେଷ ବ୍ୟାରିକେଡ୍ ନିକଟରେ ପହଁଚିଥିଲେ । ଏହା ପରେ ପୋଲିସ ପ୍ରତିକାରାତ୍ମକ କାର୍ୟ୍ୟାନୁଷ୍ଠନ ଗ୍ରହଣ କରିଥିଲା । ପ୍ରଥମେ ଆନ୍ଦୋଳନକାରୀଙ୍କ ଉପରେ ପାଣି ମାଡ଼ କରାଯାଇଥିଲା ଏବଂ ପରେ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା । ଏହି ସମୟରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ତଥାପି ଆନ୍ଦୋଳକାରୀ ଶେଷ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଫାଟକ ନିକଟବର୍ତ୍ତୀ ହୋଇଥିଲେ ।
ରାଞ୍ଚି ଆନ୍ଦୋଳନରେ ଜନ୍ତରମନ୍ତର ଓଲଟା ପ୍ରତିଛିବ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କ ପକ୍ଷରୁ କୌଣସି ପଥର ମାଡ଼, ଅଣ୍ଡା ମାଡ଼ କିମ୍ବା ଭଙ୍ଗା ରୁଜା ଭଳି ପ୍ରଦର୍ଶନ କରାଯାଇନଥିଲା । ତଥାପି ପୋଲିସ ଲାଠି ଚାର୍ଜକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।
ଏହି ଆନ୍ଦୋଳନ ମଧ୍ୟରେ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଥିଲା । ସେପଟେ ଜେପିଏସସି ପୂର୍ବତନ ଅଧ୍ୟକ୍ଷ ଏକ ଖୈଙ୍ଗତେଙ୍କୁ ସିଆଇଡି ଗିରଫ କରିଛି । ଆନ୍ଦୋଳନକାରୀଙ୍କର ୯୮ ପ୍ରତିଶତ ଦାବି ପୂରଣ ହୋଇଥିବା ସରକାର କହିଛନ୍ତି । ତଥାପି ଛାତ୍ରଛାତ୍ରୀମାନେ ଜେପିଏସସି ଅଧୀନରେ ଥିବା ସମସ୍ତ ପରୀକ୍ଷା ବାତିଲ ଏବଂ ସିବିଆଇ ତଦନ୍ତ ପାଇଁ ଅଡ଼ି ବସିଛନ୍ତି । ଛାତ୍ର ନେତା ଦେବେନ୍ଦ୍ର ନାଥ ମହତୋ ମଧ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସରକାର ଛାତ୍ରଙ୍କ ହିତକୁ ଦୃଷ୍ଟିରେ ରଖି ଆଲୋଚନା କରୁନଥିବା କହିଛନ୍ତି ।