କେନ୍ଦୁପତ୍ର ଗୋଦାମ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଲାଞ୍ଚ ନେବା ମାମଲାରେ ଦୁଇ ଅବସରପ୍ରାପ୍ତ ବନ ଅଧିକାରୀଙ୍କୁ ଜେଲ୍ ଦଣ୍ଡ ହୋଇଛି। ବଲାଙ୍ଗୀର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତ ଏହି ମାମଲାର ଶୁଣାଣି କରି ପାଟଣାଗଡ଼ ଡିଭିଜନର ପୂର୍ବତନ DFO (କେନ୍ଦୁପତ୍ର) ପ୍ରଣବ କୁମାର ମହାନ୍ତି ଏବଂ ଘାସିଏନ୍ ଦକ୍ଷିଣ ରେଞ୍ଜର ପୂର୍ବତନ ଡେପୁଟି ରେଞ୍ଜ ଅଫିସର ଚିତ୍ତରଞ୍ଜନ ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସୋମବାର ଅଦାଲତ ଉଭୟଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ରାୟ ପରେ ଭିଜିଲାନ୍ସ ବିଭାଗରେ ଚର୍ଚ୍ଚା ଜୋର ଧରିଛି।
ମାମଲା ଅନୁଯାୟୀ, ପାଟଣାଗଡ଼ ଡିଭିଜନର କେନ୍ଦୁପତ୍ର ଗୋଦାମଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ଟଙ୍କା ଛାଡ଼ କରିବା ପାଇଁ ଜଣେ ରେଞ୍ଜ ଅଫିସରଙ୍କୁ ଅଭିଯୁକ୍ତ ଦୁଇ ଅଧିକାରୀ ୧ ଲକ୍ଷ ୬୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପରେ ଲାଞ୍ଚ ଗ୍ରହଣ କରିବା ଅଭିଯୋଗରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ଏହି ଘଟଣାକୁ ନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ୮ ଜୁନ୍ ୨୦୨୦ରେ କେସ୍ ନମ୍ବର ୧୩ ରୁଜୁ ହୋଇଥିଲା। ଉଭୟଙ୍କ ବିରୋଧରେ Prevention of Corruption (Amendment) Act, 2018 ଅନୁଯାୟୀ ଚାର୍ଜସିଟ୍ ଦାଖଲ ହୋଇଥିଲା।
ଦୀର୍ଘ ଶୁଣାଣି ପରେ ଅଦାଲତ ଅଭିଯୋଗ ପ୍ରମାଣିତ ହେବାରୁ ଉଭୟ ପୂର୍ବତନ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟପଟେ, ଦୋଷୀ ଅଧିକାରୀଙ୍କ ପେନସନ୍ ସୁବିଧା ବନ୍ଦ କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବ ଭିଜିଲାନ୍ସ ବିଭାଗ।