ଭୁବନେଶ୍ୱର: ଲାଭରେ ଚାଲିଛି ଓଡ଼ିଶା ରାଜ୍ୟ ଗୋଦାମ ନିଗମ (OSWC)। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨ କୋଟି ୮୮ ଲକ୍ଷ ୩୭ ହଜାର ୯୧୩ ଟଙ୍କାର ଡିଭିଡେଣ୍ଡ ପ୍ରଦାନ କରାଯାଇଛି। ଆଜି ଏନେଇ ଡିଭିଡେଣ୍ଡ ଚେକ୍ଟି ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ପ୍ରଦାନ କରାଯାଇଛି। ଏହି ସମୟରେ କମିଶନର-କମ୍-ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ OSWC ପରିଚାଳନା ନିର୍ଦ୍ଦେଶକ ମିହିର ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ।
୨୦୨୩-୨୪ ଆର୍ଥିକ ବର୍ଷରେ OSWC ୧୯.୨୨ କୋଟି ଟଙ୍କାର ନେଟ୍ ଲାଭ କରିଛି। ଏହାର ୩୦ ପ୍ରତିଶତ ହିସାବରେ ୫.୭୬ କୋଟି ଟଙ୍କାର ଡିଭିଡେଣ୍ଡ ଘୋଷଣା କରାଯାଇଛି। ଓଡ଼ିଶା ସରକାର ଏବଂ କେନ୍ଦ୍ରୀୟ ଗୋଦାମ ନିଗମ ମଧ୍ୟରେ ଏହି ଡିଭିଡେଣ୍ଡ ସମାନ ଭାବେ ବଣ୍ଟନ ହୋଇଛି। ଫଳରେ ଉଭୟ ପକ୍ଷ ୨.୮୮ କୋଟି ଟଙ୍କା ଲେଖାଏଁ ପାଇଛନ୍ତି।
୧୯୫୮ ମସିହାରେ ପ୍ରତିଷ୍ଠିତ OSWC ବର୍ତ୍ତମାନ ରାଜ୍ୟର ୩୦ଟି ଜିଲ୍ଲାରେ ୬୮ଟି ଗୋଦାମ ପରିଚାଳନା କରୁଛି। ଏହି ଗୋଦାମଗୁଡ଼ିକର ମୋଟ ଷ୍ଟୋରେଜ୍ କ୍ଷମତା ୫.୨୧ ଲକ୍ଷ ମେଟ୍ରିକ୍ ଟନ୍।
ନିଗମ ପକ୍ଷରୁ କୁହାଯାଇଛି, ଗୋଦାମ କ୍ଷମତାର ସଠିକ୍ ବ୍ୟବହାର ଏବଂ କୃଷି ଭିତ୍ତିଭୂମିରେ ବଢ଼ୁଥିବା ଭୂମିକା ଯୋଗୁଁ ନିଗମ ଲଗାତାର ଲାଭ କରିଆସୁଛି। ପୂର୍ବରୁ ମଧ୍ୟ OSWC ପକ୍ଷରୁ ନିୟମିତ ଭାବେ ଅଂଶୀଦାରମାନଙ୍କୁ ଡିଭିଡେଣ୍ଡ ପ୍ରଦାନ କରାଯାଇଛି।