ଅନୁଗୋଳ ବନାଞ୍ଚଳରେ ପୁଣି ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବଡ଼କେରା ପଞ୍ଚାୟତ ଭାଲିଆପାଳ ଗ୍ରାମର ପ୍ରଶାନ୍ତ ନାଏକଙ୍କ ପୁଅ ସାଜନ୍ ନାଏକ।
ସୂଚନା ଅନୁସାରେ, ସାଜନ୍ ଆଜି ସକାଳେ ରଗୁଡ଼ିଆପଡ଼ା ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ତେବେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ। ଏହାକୁ ନେଇ ପରିବାର ଲୋକେ ଚିନ୍ତିତ ହୋଇ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ।
ଖୋଜାଖୋଜି ବେଳେ ଗାଁ ନିକଟ ଜଙ୍ଗଲ ଭିତରେ ସାଜନଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ତାଙ୍କୁ ହାତୀ ଆକ୍ରମଣ କରି ମାରିଦେଇଥିବା ଜଣାପଡ଼ିଛି।
ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ହାତୀ ଉପଦ୍ରବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ବଢ଼ିଛି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।