କେନ୍ଦ୍ରାପଡ଼ା : କୁମ୍ଭୀର ପାଇଁ ଭୟଭୀତ ହେଲେ ଗ୍ରାମବାସୀ। ରାତି ଅଧରେ ଗାଁ ରାସ୍ତା ଉପରେ ଶୋଇଥିଲା ବିରାଟକାୟ କୁମ୍ଭୀର । ଆଉ କୁମ୍ଭୀର ଦେଖି ଭୟଭୀତ ହୋଇପଡ଼ିଥିଲେ ରାସ୍ତାରେ ଯାତାୟାତ କରୁଥିବା ଲୋକେ । ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ବଣିଆ ପଞ୍ଚାୟତରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଖରସ୍ରୋତା ନଦୀ ପାର୍ଶ୍ୱ ଦେଇ ବାଜପୁରରୁ ଜୟକୁଣ୍ଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ରବିବାର ରାତିରେ ଏକ ବିରାଟକାୟ କୁମ୍ଭୀର ରାସ୍ତାରେ ଶୋଇଥିବାର ଦେଖିବାକୁ ମିଳିଥିଲା । କୁମ୍ଭୀରଟି ଦୀର୍ଘ ସମୟ ଧରି ରାସ୍ତା ଉପରେ ରହିଥିଲା । ପ୍ରାୟ ଅଧ ଘଣ୍ଟା ଧରି କୁମ୍ଭୀରଟି ରାସ୍ତା ଅବରୋଧ କରି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ରାତି ସମୟରେ ହଠାତ୍ ରାସ୍ତା ଉପରେ ଏଭଳି ବିରାଟକାୟ କୁମ୍ଭୀରକୁ ଦେଖି ଲୋକଙ୍କ ମଧ୍ୟରେ ଭୟ ପଶିଥିଲା ।ବାଜପୁର ଓ ଜୟକୁଣ୍ଡା ଗାଁର ଲୋକଙ୍କ ପାଇଁ ଏହି ରାସ୍ତା ହେଉଛି ନିତିଦିନିଆ ଯାତାୟାତର ମୁଖ୍ୟ ମାଧ୍ୟମ । ପ୍ରତିଦିନ ଶତାଧିକ ଲୋକ ଏହି ରାସ୍ତା ଦେଇ ଯାତାୟାତ କରନ୍ତି କିନ୍ତୁ ରାସ୍ତାଟି ଖରସ୍ରୋତା ନଦୀ କୂଳରେ ଥିବାରୁ ଏଠାରେ ବନ୍ୟଜନ୍ତୁ, ବିଶେଷକରି କୁମ୍ଭୀରର ଭୟ ରହିଛି । ଅଞ୍ଚଳବାସୀଙ୍କ କହିବା ଅନୁସାରେ, ବନ୍ୟା ସମୟରେ ନଦୀର ପାଣି ବଢ଼ିଲେ କୁମ୍ଭୀର ମଧ୍ୟ ନଦୀରୁ ବାହାରି ଗାଁ ଆଡ଼କୁ ଆସିଥାଏ । ଏହି କାରଣରୁ ରାତି ସମୟରେ ନଦୀ କୂଳ ଦେଇ ଯାତାୟାତ କରିବା ଅଧିକ ବିପଦଜନକ ହୋଇପଡ଼ିଛି । ସବୁଠାରୁ ବଡ଼ ସମସ୍ୟା ହେଉଛି, ରାସ୍ତା ପାର୍ଶ୍ୱରେ ପର୍ଯ୍ୟାପ୍ତ ଆଲୋକୀକରଣ ନାହିଁ । ନଦୀ କୂଳରେ ମଧ୍ୟ କୌଣସି ସୁରକ୍ଷା ବାଡ଼ ନଥିବାରୁ ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି । ଅନ୍ଧାର ରାତିରେ ରାସ୍ତା ଉପରକୁ କୁମ୍ଭୀର ଆସିଥିବା ଜଣାପଡ଼ିବା ପରେ ଏବେ ଭୟ ଆହୁରି ବଢ଼ିଛି ।
ରାସ୍ତା ଉପରେ ବିରାଟକାୟ କୁମ୍ଭୀର ଦେଖାଯିବା ପରେ ତୁରନ୍ତ ବନ ବିଭାଗର ହସ୍ତକ୍ଷେପ ଅଞ୍ଚଳବାସୀ ଦାବି କରିଛନ୍ତି।