ଅନୁଗୁଳ: ଉପରମୁଣ୍ଡରେ ଲଗାଣ ବର୍ଷା ପରେ ବଢ଼ିବାରେ ଲାଗିଛି ଜଳପ୍ରବାହ। ଫଳରେ ରେଙ୍ଗାଲି ଡ୍ୟାମ୍ରେ ମଧ୍ୟ ବଢ଼ିଛି ଜଳସ୍ତର। ଜଳଭଣ୍ଡାରରେ ଜଳସ୍ତର ବଢ଼ିବା ପରେ ସୁରକ୍ଷା ଦୃଷ୍ଟିରୁ ସୋମବାର ଡ୍ୟାମ୍ର ଗୋଟିଏ ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏଥିସହ ପାୱାର ଚ୍ୟାନେଲ ମଧ୍ୟ ଚାଲୁ କରାଯାଇଛି। ଫଳରେ ଅତିରିକ୍ତ ଜଳ ବ୍ରାହ୍ମଣୀ ନଦୀ ଅବବାହିକାକୁ ଛଡ଼ାଯାଉଛି।
ସୂଚନା ଅନୁସାରେ, ଚଳିତ ବର୍ଷ ରେଙ୍ଗାଲି ଡ୍ୟାମ୍ରୁ ଦ୍ୱିତୀୟ ଥର ପାଇଁ ଏଭଳି ଜଳ ନିଷ୍କାସନ କରାଯାଇଛି। ବର୍ତ୍ତମାନ ଡ୍ୟାମ୍କୁ ପ୍ରାୟ ୨,୫୦୦ ଘନମିଟର ପାଣି ପ୍ରତି ସେକେଣ୍ଡରେ ପ୍ରବେଶ କରୁଥିବା ବେଳେ ପ୍ରାୟ ୨,୦୦୦ ଘନମିଟର ପାଣି ଗେଟ୍ ନମ୍ବର ୮ ଓ ପାୱାର ଚ୍ୟାନେଲ ମାଧ୍ୟମରେ ନିଷ୍କାସନ କରାଯାଉଛି।
ଅନ୍ୟପଟେ, ଡ୍ୟାମ୍ର ଜଳସ୍ତର ଏବେ ୧୨୨.୧୪ ମିଟରରେ ପହଞ୍ଚିଛି। ଡ୍ୟାମ୍ର ସର୍ବାଧିକ ଜଳଧାରଣ କ୍ଷମତା ବା ଫୁଲ୍ ରିଜର୍ଭୟର ଲେଭଲ୍ ୧୨୩.୫୦ ମିଟର ଥିବାରୁ ଜଳସ୍ତର ଏବେ ସେହି ସୀମାର ଖୁବ୍ ନିକଟରେ ରହିଛି।
ସ୍ଥିତି ଉପରେ ଡ୍ୟାମ୍ର ଯନ୍ତ୍ରୀ ଓ ଅଧିକାରୀମାନେ ନଜର ରଖିଛନ୍ତି। ଉପରମୁଣ୍ଡରେ ବର୍ଷାର ପରିମାଣ ଏବଂ ଡ୍ୟାମ୍କୁ ଆସୁଥିବା ଜଳପ୍ରବାହକୁ ନିରନ୍ତର ନିରୀକ୍ଷଣ କରାଯାଉଛି। ଆଗକୁ ଜଳସ୍ତର ଓ ଇନ୍ଫ୍ଲୋର ସ୍ଥିତି ଦେଖି ଆବଶ୍ୟକ ହେଲେ ଅଧିକ ପାଣି ନିଷ୍କାସନ ନେଇ ନିଷ୍ପତ୍ତି ନିଆଯିବ। ରେଙ୍ଗାଲି ଡ୍ୟାମ୍ରୁ ପାଣି ଛଡ଼ାଯିବା ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ଉପରେ ମଧ୍ୟ ଏବେ ନଜର ରହିଛି।