ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଆଜିର ଦିନଟି ହେବ ବେଶ୍ ଖାସ। ଭୁବନେଶ୍ୱର ରେଳ ଅଡିଟୋରିୟମ୍ରେ ଆଜି ଆୟୋଜିତ ହେଉଛି ନିୟୁକ୍ତି ମେଳା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋଟ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ୯ଟି ବିଭାଗରେ ଏହି ନିଯୁକ୍ତି ଦିଆଯିବ।
ସରକାରୀ ସୂଚନା ଅନୁସାରେ, ନିଯୁକ୍ତିରେ ସର୍ବାଧିକ ଅଂଶ ରହିଛି ଗୃହ ଓ ନଗର ଉନ୍ନୟନ ବିଭାଗର। ଏହି ବିଭାଗରେ ୩୬୪ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗରେ ୩୬୧ ଜଣ ଏବଂ ଶକ୍ତି ବିଭାଗରେ ୨୪୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ମିଳିବ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ନିଯୁକ୍ତି ପାଇବେ। ଏହାବ୍ୟତୀତ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗରେ ୮୬ ଜଣ, କ୍ରୀଡ଼ା ଓ ଯୁବସେବା ବିଭାଗରେ ୨୬ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ଏବଂ ଅବକାରୀ ବିଭାଗରେ ୧୦ ଜଣ ନିଯୁକ୍ତି ପାଇବେ।
ଯୁବକ-ଯୁବତୀଙ୍କୁ ସରକାରୀ ଚାକିରିର ସୁଯୋଗ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଲଗାତାର ନିୟୁକ୍ତି ମେଳା ଆୟୋଜନ କରୁଛନ୍ତି। ଆଜିର ଏହି ମେଳା ମଧ୍ୟ ଓଡ଼ିଶାର ହଜାର ହଜାର ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଆଶା ଓ ପ୍ରେରଣା ସୃଷ୍ଟି କରିବ।