ଭୁବନେଶ୍ୱର: ରାଜ୍ୟର ଚିକିତ୍ସା ଶିକ୍ଷା, ଗବେଷଣା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ସାମ୍ନାକୁ ଆସିଛି। ଇଣ୍ଡିଆନ ଇନ୍ଷ୍ଟିଟ୍ୟୁସିନାଲ ରାଙ୍କିଂ ଫ୍ରେମୱାର୍କ (IIRF)-୨୦୨୬ ତାଲିକାରେ ଓଡ଼ିଶାର ତିନୋଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ଜାତୀୟ ସ୍ତରରେ ବେଶ୍ ପ୍ରଶଂସନୀୟ ସ୍ଥାନ ହାସଲ କରିଛନ୍ତି।
ମେଡିକାଲ କଲେଜଗୁଡ଼ିକର ରାଙ୍କିଂ ତାଲିକା
ଏସସିବି ମେଡିକାଲ କଲେଜ (କଟକ): ୧୫ତମ ସ୍ଥାନ
ଏମ୍ସ (ଭୁବନେଶ୍ୱର): ୧୬ତମ ସ୍ଥାନ
ଭିମସାର (ବୁର୍ଲା): ୬୪ତମ ସ୍ଥାନ
ଏମକେସିଜି ମେଡିକାଲ କଲେଜ (ବ୍ରହ୍ମପୁର): ୭୪ତମ ସ୍ଥାନ
ଏମ୍ସକୁ ପଛରେ ପକାଇଲା ଏସସିବି
ଚଳିତ ବର୍ଷର IIRF ରାଙ୍କିଂରେ ସବୁଠାରୁ ବଡ଼ ଆକର୍ଷଣ ହେଉଛି, ପ୍ରଥମ ଥର ପାଇଁ ଓଡ଼ିଶାର ଏକ ସରକାରୀ ମେଡିକାଲ କଲେଜ ଭାବରେ କଟକ ଏସସିବି ମେଡିକାଲ କଲେଜ ଏମ୍ସ ଭୁବନେଶ୍ୱରକୁ ପଛରେ ପକାଇ ଆଗୁଆ ରହିଛି। ଏସସିବି ୧୫ତମ ସ୍ଥାନରେ ରହିଥିବାବେଳେ ଏମ୍ସ ଭୁବନେଶ୍ୱର ୧୬ତମ ସ୍ଥାନରେ ସ୍ଥାନ ପାଇଛି। ଏହା ରାଜ୍ୟର ସରକାରୀ ଚିକିତ୍ସା ବ୍ୟବସ୍ଥାର ଉନ୍ନତ ଗୁଣାତ୍ମକ ମାନ ଏବଂ କାର୍ଯ୍ୟଦକ୍ଷତାର ଏକ ଜ୍ୱଳନ୍ତ ପ୍ରମାଣ ଅଟେ।
ମନ୍ତ୍ରୀଙ୍କ ଶୁଭେଚ୍ଛା ଓ ପ୍ରତିକ୍ରିୟା
ଏହି ଅନନ୍ୟ ସଫଳତା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ସମ୍ପୃକ୍ତ ମେଡିକାଲ କଲେଜଗୁଡ଼ିକର ସମସ୍ତ ଡାକ୍ତର, ଅଧ୍ୟାପକ, ଛାତ୍ରଛାତ୍ରୀ, ନର୍ସିଂ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଏବଂ ପ୍ରଶାସନିକ କର୍ମଚାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଏହି ସଫଳତା କେବଳ ଏକ ସଫଳତା ନୁହେଁ, ବରଂ ଓଡ଼ିଶାର ସରକାରୀ ମେଡିକାଲଗୁଡ଼ିକୁ ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଆହୁରି ଅଧିକ ଉଚ୍ଚତାକୁ ନେବା ପାଇଁ ଏହା ଏକ ବଡ଼ ପ୍ରେରଣା ସାଜିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ରାଜ୍ୟରେ ଚିକିତ୍ସା ଶିକ୍ଷା, ଗବେଷଣା, ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ଏବଂ ଆଗାମୀ ଦିନରେ ଏହି ଧାରା ଅଧିକ ଜୋରଦାର ହେବ।