ସମ୍ବଲପୁର : ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି ତେଣୁ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପୂର୍ବରୁ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିଲା ସେଥିପାଇଁ ଖୋଲିଲା ଆଉ ୪ଟି ଗେଟ୍ । ଏହାକୁ ମିଶାଇ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି ।
ରାଜ୍ୟରେ ପୁଣି ବନ୍ୟା ପରିସ୍ଥିତି ଘନୀଭୂତ ହେବାରେ ଲାଗିଛି । ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ପୁଣି ଥରେ ଫୁଲିବାରେ ଲାଗିଛି । ଆଖୁଆପଦା ନିକଟରେ ନଦୀର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ବର୍ତ୍ତମାନ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି, ଯାହା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ବୈତରଣୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହି ଛନ୍ତି । ନଦୀ କୂଳିଆ ଗାଁ ଗୁଡିକରେ ବନ୍ୟା ପାଣି ପଶିବା ଆଶଙ୍କା ଦେଖାଦେଇଛି । ଚାଷ ଜମିରେ ପାଣି ମାଡ଼ିଯିବା ଭୟରେ ଚାଷୀମାନେ ଚିନ୍ତାରେ ପଡିଥିବା ବେଳେ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଶନିବାର ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଉତ୍ତର ଓ ଉପକୂଳର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଦୁଇ ଦିନ ଧରି ଲଘୁଚାପର ପ୍ରଭାବରେ ଭାରି ବର୍ଷା ହେବ। ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଆଶଙ୍କା ରହିଛି।