ପୁରୀ: ସ୍କୁଲ ଅଛି, ପିଲା ଅଛନ୍ତି, ମଧ୍ୟାହ୍ନ ଭୋଜନ ବି ରନ୍ଧା ହେଉଛି। ହେଲେ ନାହାନ୍ତି ଶିକ୍ଷକ। ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୫ ମାସ ହେଲାଣି ଶିକ୍ଷକଶୂନ୍ୟ ହୋଇପଡ଼ିଛି ସ୍କୁଲ। ପାଠପଢ଼ା ବଦଳରେ ସ୍କୁଲରେ ପିଲାଙ୍କୁ ଜଗୁଛନ୍ତି ପାଚିକା। ମଧ୍ୟାହ୍ନ ଭୋଜନ ଖାଇବା ପରେ ଘରକୁ ଫେରୁଛନ୍ତି ଛାତ୍ରଛାତ୍ରୀ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଗୌଡ଼ରାଣପଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ଏଭଳି ଚିନ୍ତାଜନକ ଚିତ୍ର।
ସୂଚନା ଅନୁସାରେ, ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ରହିଥିଲେ। ହେଲେ ଉଭୟ ଶିକ୍ଷକ ଅବସର ନେବାର ଇତିମଧ୍ୟରେ ୫ ମାସ ବିତିଗଲାଣି। ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଏପର୍ଯ୍ୟନ୍ତ ନୂଆ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି। ଫଳରେ ଶିକ୍ଷକଙ୍କ ଅପେକ୍ଷାରେ ରହିଛନ୍ତି ସ୍କୁଲର ଛାତ୍ରଛାତ୍ରୀ। ସବୁଠାରୁ ଦୁଃଖଦ କଥା ହେଉଛି, ପିଲାମାନେ ନିୟମିତ ସ୍କୁଲ ଆସୁଛନ୍ତି। କିନ୍ତୁ ଶିକ୍ଷକ ନଥିବାରୁ ପାଠପଢ଼ା ହୋଇପାରୁନାହିଁ। ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନେ ଘରକୁ ଫେରୁଥିବା ଅଭିଯୋଗ ହୋଇଛି। ପିଲାଙ୍କ ସୁରକ୍ଷା ଓ ସ୍କୁଲ ପରିଚାଳନା ଦାୟିତ୍ୱ ପାଚିକାଙ୍କ ଉପରେ ପଡ଼ିଛି।
ତେବେ ଗାଁର କିଛି ଶିକ୍ଷିତ ଯୁବକ ସମୟ ପାଇଲେ ସ୍କୁଲକୁ ଯାଇ ପିଲାଙ୍କୁ ପାଠ ପଢ଼ାଉଥିବା ଜଣାପଡ଼ିଛି। ନିକଟସ୍ଥ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବୁଝିବା ପାଇଁ ଏଠାକୁ ଯାଉଛନ୍ତି। ଘଟଣା ନେଇ ଅଭିଯୋଗ କରିବା ପାଇଁ ଅଭିଭାବକମାନେ ବ୍ରହ୍ମଗିରି ବିଇଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ ସେଠାରେ ତାଲା ପଡ଼ିଥିବା ଅଭିଯୋଗ ହୋଇଛି। ଅନ୍ୟ ଅଧିକାରୀମାନେ ମଧ୍ୟ ଏନେଇ ମୁହଁ ଖୋଲିବାକୁ ମନା କରିଥିବା କୁହାଯାଇଛି।
ଅନ୍ୟପଟେ, ରାଜ୍ୟର ଏକକ-ଶିକ୍ଷକ ବିଦ୍ୟାଳୟଗୁଡ଼ିକର ସମସ୍ୟା ଦୂର କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଏଭଳି ସ୍କୁଲଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି କିମ୍ବା ଆଡଜଷ୍ଟମେଣ୍ଟ କରିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ମଧ୍ୟରେ ଆବଶ୍ୟକ ବ୍ୟବସ୍ଥା କରି ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଏବେ ପ୍ରଶ୍ନ ଉଠୁଛି, ସରକାରଙ୍କ ନିର୍ଦ୍ଦେଶ ପରେ ଗୌଡ଼ରାଣପଡ଼ା ସ୍କୁଲକୁ କେବେ ମିଳିବେ ଶିକ୍ଷକ? ଆଉ କେତେଦିନ ଏମିତି ପାଠପଢ଼ା ବିନା ସ୍କୁଲ ଆସିବେ କୁନି କୁନି ପିଲା?