ବାଲେଶ୍ୱର: ବାଲେଶ୍ୱର ବନ୍ୟା ସମସ୍ୟାର ପ୍ରକୃତ କାରଣ କହିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଇଞ୍ଜିନିୟରିଂ ତ୍ରୁଟି ଏବଂ ଚିଙ୍ଗୁଡ଼ି ଘେରି ପାଇଁ ବନ୍ୟା ସମସ୍ୟା ଉତ୍ପନ୍ନ ହେଉଛି । ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ ।
ନିକଟରେ ହୋଇଥିବା ବନ୍ୟାରେ ବାଲେଶ୍ୱର ଜିଲ୍ଲା ଅଧିକ କ୍ଷତି ସହିଛି । ପାଣି ନିଷ୍କାସନରେ ସମୟ ଲାଗିବାରୁ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ହୋଇ ରହିଲେ । ତେବେ ଏ ସବୁର ମୂଳ କାରଣ ହେଉଛି ଚିଙ୍ଗୁଡ଼ି ଘେରି । ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ବାଲେଶ୍ୱର ଉପକୂଳରେ ହଜାର ହଜାର ସଂଖ୍ୟାରେ ବେଆଇନ ଚିଙ୍ଗୁଡ଼ି ଘେରି ରହିଛି । ଯେଉଁଥିପାଇଁ ବନ୍ୟା ଜଳ ନିଷ୍କାସନରେ ସମସ୍ୟା ଉତ୍ପନ୍ନ ହେଉଛି । ଆଉ ଏହି ଚିଙ୍ଗୁଡ଼ି କରିଥିବା ଲୋକେ ବିଭିନ୍ନ ଦଳରେ ରହିଛନ୍ତି । ସେଥିପାଇଁ କେହି ମୁହଁ ଖୋଲିବାକୁ ସାହାସ କରୁନାହାଁନ୍ତି ।
ସେହିପରି ଅନେକ ବନ୍ଧ ନିର୍ମାଣରେ ବୈଷୟିକ ତ୍ରୁଟି ରହିଛି । ଆବଶ୍ୟକ ପରିମାଣରେ ବ୍ରିଜ୍ ନାହିଁ । ଲୋକେ ମଧ୍ୟ ଡ୍ରେନକୁ ଅବରୋଧ କରି ଦୋକାନ ଏବଂ ପାଚେରୀ ନିର୍ମାଣ କରିଛନ୍ତି । ଏହାର ସମାଧାନ ପାଇଁ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବ । ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିବଦ୍ଧ ଥିବା ସାଂସଦ କହିଛନ୍ତି ।