ଭୁବନେଶ୍ୱର: ଆପଣଙ୍କ ଟଙ୍କାକୁ କିଛି ଦିନରେ ଦୁଇଗୁଣ କରିଦେବାର ଲୋଭ ଦେଖାଉଛି କି କେହି? ଅଳ୍ପ ସମୟରେ ବଡ଼ ରିଟର୍ଣ୍ଣ ମିଳିବ ବୋଲି କହି ଇନଭେଷ୍ଟମେଣ୍ଟ ପାଇଁ ପ୍ରଲୋଭିତ କରୁଛନ୍ତି କି? ତେବେ ସାବଧାନ, କାରଣ ଏଭଳି ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ଠକୁଥିବା ସାଇବର ଠକଙ୍କ ବିରୋଧରେ ସତର୍କ କରିଛି ଭୁବନେଶ୍ୱର-କଟକର କମିଶନରେଟ୍ ପୁଲିସ।
ଶନିବାର ଜାରି ଏକ ସଚେତନତାମୂଳକ ବାର୍ତ୍ତାରେ ପୁଲିସ କହିଛି, ସାଇବର ଠକମାନେ ଫୋନ୍ କଲ୍, ମେସେଜ୍, ସୋସିଆଲ ମିଡିଆ ବିଜ୍ଞାପନ ଏବଂ ଅନଲାଇନ୍ ଗ୍ରୁପ୍ ଜରିଆରେ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି। କମ୍ ବିପଦରେ ଅଧିକ ଲାଭର ଲୋଭ ଦେଖାଇ ଟଙ୍କା ନିବେଶ କରିବାକୁ କହୁଛନ୍ତି।
ଠକମାନେ ନକଲି ୱେବସାଇଟ୍, ମୋବାଇଲ୍ ଆପ୍ ଏବଂ ଜାଲ୍ ଦସ୍ତାବିଜ୍ ବ୍ୟବହାର କରି ନକଲି ଇନଭେଷ୍ଟମେଣ୍ଟ ପ୍ଲାଟଫର୍ମକୁ ଅସଲି ଭଳି ଦେଖାଉଛନ୍ତି। ଟଙ୍କା ପାଇବା ପରେ ଆହୁରି ଟଙ୍କା ଦାବି କରିବା କିମ୍ବା ଯୋଗାଯୋଗ ବନ୍ଦ କରି ଗାଏବ ହୋଇଯିବା ଭଳି ଘଟଣା ଘଟୁଛି।
ବିଶେଷକରି ‘କିଛି ଦିନରେ ଟଙ୍କା ଡବଲ୍’, ଅସ୍ୱାଭାବିକ ଭାବେ ଅଧିକ ରିଟର୍ଣ୍ଣ ଏବଂ ନିଶ୍ଚିତ ଲାଭର ପ୍ରତିଶ୍ରୁତି ଦେଉଥିବା ଯୋଜନାଠାରୁ ଦୂରେଇ ରହିବାକୁ ପୁଲିସ ପରାମର୍ଶ ଦେଇଛି। ଅଜଣା କମ୍ପାନୀ କିମ୍ବା ଅନଭେରିଫାଏଡ୍ ପ୍ଲାଟଫର୍ମରେ ଯାଞ୍ଚ ନକରି ଟଙ୍କା ଲଗାନ୍ତୁ ନାହିଁ।
ସେହିପରି ତୁରନ୍ତ ନିବେଶ କରିବାକୁ ଚାପ ପକାଇବା, ନିବେଶ ବିଷୟରେ କାହାକୁ ନକହିବାକୁ କହିବା କିମ୍ବା ଲାଭ ଉଠାଇବା ପାଇଁ ଅତିରିକ୍ତ ଟଙ୍କା ମାଗିବା ଭଳି କୌଶଳକୁ ନେଇ ସତର୍କ ରହିବାକୁ କୁହାଯାଇଛି।
କୌଣସି କମ୍ପାନୀ କିମ୍ବା ଇନଭେଷ୍ଟମେଣ୍ଟ ପ୍ଲାଟଫର୍ମର ରେଜିଷ୍ଟ୍ରେସନ୍ ଓ ବୈଧତା ଯାଞ୍ଚ କରିବା ପରେ ହିଁ ନିବେଶ କରନ୍ତୁ। ଏଥିପାଇଁ SEBI ଏବଂ RBIର ଅଫିସିଆଲ୍ ୱେବସାଇଟ୍ରେ ଯାଞ୍ଚ କରିବାକୁ ପୁଲିସ କହିଛି।
ଏହାସହ OTP, PIN, ପାସୱାର୍ଡ, ବ୍ୟାଙ୍କ ତଥ୍ୟ ଭଳି ସମ୍ବେଦନଶୀଳ ସୂଚନା କାହା ସହ ବି ସେୟାର ନକରିବାକୁ କୁହାଯାଇଛି। ଅଜଣା ଲିଙ୍କ୍ରେ କ୍ଲିକ୍ କରିବା କିମ୍ବା ଅନଭେରିଫାଏଡ୍ ଆପ୍ ଡାଉନଲୋଡ୍ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ପୁଲିସ ସ୍ପଷ୍ଟ କରିଛି ଯେ, କୌଣସି ପୁଲିସ ଅଧିକାରୀ ନିବେଶ କରିବାକୁ କିମ୍ବା କୌଣସି ବ୍ୟକ୍ତିଗତ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହିବେ ନାହିଁ। ଏଭଳି ଦାବି ଆସିଲେ ତୁରନ୍ତ ଏହାକୁ ସ୍କାମ୍ ବୋଲି ସନ୍ଦେହ କରନ୍ତୁ।
ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ପରିବାର କିମ୍ବା ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଆଲୋଚନା କରିବା ସହ କେବଳ ବିଶ୍ୱସନୀୟ ଓ ନିୟନ୍ତ୍ରିତ ମାଧ୍ୟମରେ ନିବେଶ କରିବାକୁ ପୁଲିସ ଅପିଲ୍ କରିଛି।
ଯଦି କେହି ସାଇବର କିମ୍ବା ଇନଭେଷ୍ଟମେଣ୍ଟ ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ୧୯୩୦ ନମ୍ବରରେ କଲ୍ କରନ୍ତୁ ଏବଂ National Cyber Crime Reporting Portalରେ ଅଭିଯୋଗ କରନ୍ତୁ। ସତର୍କ ରୁହନ୍ତୁ, ଯାଞ୍ଚ କରନ୍ତୁ ଏବଂ ଠକେଇ ହେଲେ ବିଳମ୍ବ ନକରି ରିପୋର୍ଟ କରନ୍ତୁ।