ଆଜିଠୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହେଉଛି । ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏବଂ ଦେଶବ୍ୟାପୀ ଏହି ଅଭିଯାନ ଚାଲିବ । ଏହି ଅଭିଯାନ ମାଧ୍ୟମରେ ଘରେ ଘରେ ଜାତୀୟ ପତାକା ଉଡ଼ାଇବା ସହ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅଭିଯାନ ଆୟୋଜନ କରାଯାଉଛି । ରାଜ୍ୟର ପ୍ରତ୍ୟେକ ବ୍ଲକ୍ ଓ ପଞ୍ଚାୟତରେ ଆଡ଼ମ୍ବର ସହକାରେ ପାଳନ କରାଯିବ।
ଏନେଇ ଆଜି ହାତୀଆଶୁଣି ପଡିଆ ଠାରୁ ଲୁମ୍ବିନ ବିହାର ପଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରାଜ୍ୟସ୍ତରୀୟ ଯାତ୍ରାରେ ଯୋଗଦେଇଛନ୍ତି। ୪୪ ଲକ୍ଷ ୪୦ ହଜାର ଜାତୀୟ ପତାକାକୁ ନେଇ ତ୍ରିରଙ୍ଗା ଯାତ୍ରା ପ୍ରସ୍ତୁତ ହୋଇଛି। ଆଜିଠାରୁ ଘରେ ଘରେ ତିରଙ୍ଗା ଲଗାଇ ଅଭିଯାନକୁ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରାଯାଇଛି ।
ଅଗଷ୍ଟ ୧୫ରେ ‘ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ’ ପାଳନ ପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ ‘ଭାରତୀୟମ୍’ର ଆୟୋଜିତ ହେବ। ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଏକ କନସର୍ଟ ଆୟୋଜନ କରାଯିବ। ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ତ୍ରିରଙ୍ଗା ସହ ସେଲ୍ଫି ଉଠାଇ harghartiranga.com ୱେବ୍ସାଇଟ୍ରେ ଅପଲୋଡ୍ କରି ନିଜର ଡିଜିଟାଲ ପ୍ରମାଣପତ୍ର ଡାଉନ୍ଲୋଡ୍ କରିପାରିବେ। ଏଥିସହ My Gov ପୋର୍ଟାଲ୍ରେ ମଧ୍ୟ ଅନଲାଇନ୍ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଘରେଘରେ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ଅନ୍ଲାଇନ୍ କୁଇଜ୍ରେ ଅଂଶଗ୍ରହଣ କରିବେ।